ନର୍ସଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ : ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?

ବଲାଙ୍ଗିର, ଏନ୍ଏନ୍ଏସ୍ : ଗତ ୧୩ ତାରିଖ ରାତିରେ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର କାର୍ଯ୍ୟରତ ଥିବା ବେଳେ ପ୍ରତିମା ପ୍ରଧାନ ନାମ୍ନି ଜଣେ ନର୍ସଙ୍କୁ ଦୁଇଜଣ ଦୁବୁର୍ତ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ପ୍ରତିମା ପୁଲିସରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରାନଯିବାରୁ ୧୫ ତାରିଖ ଦିନ ୮ ଘଂଟା ଧରି ନର୍ସମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଫଳରେ ଚିକିତ୍ସା ସେବା ସମ୍ପୁର୍ଣ୍ଣ ରୂପେ ଠପ୍ପ ହୋଇଯାଇଥିଲା ଓ ଏହାକୁ ନେଇ ଡାକ୍ତରଖାନା ପରିସରରେ ତୀବ୍ର ଉତେଜନା ଦେଖା ଦେଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ , ଚିକିତ୍ସା ସେବାରୁ ବଂଚିତ ହୋଇଥିବା ରୋଗୀମାନଙ୍କ ସମ୍ପର୍କିୟମାନେ ରାସ୍ତା କୁ ମଧ୍ୟ ଅବରୋଧ କରିଥିଲେ ।

ପରେ ଜିଲ୍ଲାପାଳ ଓ ଏସପି ଡାକ୍ତରଖାନାରେ ପହଂଚି ଆନ୍ଦୋଳନରତ ନର୍ସମାନଙ୍କ ସହ ଆଲୋଚନା କରିଥିଲେ ଓ ୭ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ମୁତାବକ ପୁଲିସ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅବଦୁଲ ରଫିକ ଓରଖ ବବଲୁଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସଙ୍ଗେ କୋର୍ଟ ଚାଲାଣ କରିଛି । ଏହା ସହିତ ପୁଲିସ ଘଟଣାସ୍ଥଳରୁ ଏକ ବିପି ମେସିନ ଓ ଆଡମିସନ ପାଇଁ ୱାର୍ଡକୁ ଅଣାଯାଇଥିବା ରୋଗୀଙ୍କ ପ୍ରେସକ୍ରିପସନ ଜବତ କରିଛି ।

ସୂଚନା ଅନୁଯାୟୀ, ବବଲୁଙ୍କ ମା’ଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । ତାଙ୍କୁ ୱାର୍ଡକୁ ପଠାଇବା ସମୟରେ ପ୍ରତିମା ଡ୍ୟୁଟିରେ ଥିଲେ । ରୋଗୀଙ୍କୁ ଦେଖିବା ବଦଳରେ ସେ କୁଆଡେ ମୋବାଇଲରେ ଗେମ ଖେଲୁଥିଲେ । ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ତାଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ତେଣୁ ରୋଗୀଙ୍କ ସମ୍ପର୍କିୟମାନେ ମୋବାଇଲରେ ନର୍ସଙ୍କ ଭିଡିଓ କରୁଥିଲେ । ଏଥିରେ ରାଗିଯାଇ ନର୍ସ ଜଣଙ୍କ ରାଗିଯାଇ ମୋବାଇଲ ଛଡାଇବା ଆଣିବା ସହିତ ପ୍ରଥମେ ଦୁର୍ବବ୍ୟହାର କରିଥିଲେ ବୋଲି ବବଲୁ ଅଭିଯୋଗ କରିଛନ୍ତି ।

ବର୍ତମାନ ଗୁରୁତର ଅବସ୍ଥାରେ ବବଲୁଙ୍କ ମା’ ଘରେ ଚିକତ୍ସିତ ହେଉଛନ୍ତି । ନର୍ସଙ୍କ ମୋବାଇଲ ଛଡାଇବା ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେଲା ପରେ ସମ୍ପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇର୍ ଜନସାଧାରଣରେ ଦାବି ହେଉଛି । ତେବେ ନର୍ସଙ୍କ ବିରୁଦ୍ଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଅପର ପକ୍ଷରେ ମୁଁ ନିଜେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି ବୋଲି ବବଲୁ କହିଛନ୍ତି ।