ଦୁଷ୍କର୍ମ ପୀଡିତା ପରିବାରକୁ ନିଆଁପାଣି ବାସନ୍ଦ ଘଟଣା: ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକା କୁମାରୀ ମାତୃତ୍ୱ ପାଇଁ ଗ୍ରାମବାସୀ ପରିବାରକୁ ବାସନ୍ଦ କରିବା ସହିତ ନିଆଁପାଣି ବନ୍ଦ କରିଦେଇଥିଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶନିବାର ଉକ୍ତ ଗ୍ରାମରେ ପ୍ରଶାସନ ପହଞ୍ଚି ଉଭୟ ପରିବାର ଓ ଗ୍ରାମବାସୀଙ୍କ ଆଲୋଚନା କରିବା ପରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହୋଇଛି ।

ପ୍ରଶାସନ ପକ୍ଷରୁ ସିଡବ୍ଲୁସିର ଅଧ୍ୟକ୍ଷା ଗୀତାଞ୍ଜଳି ପଣ୍ଡା, ଭାରପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ ସତ୍ୟ ପ୍ରିୟଦର୍ଶିନୀ ସାହୁ, ୱାନ୍ ଷ୍ଟପ(ସଖୀ)ର ପରିଚାଳିକା ଐଶ୍ଚର୍ୟ୍ୟା ସଙ୍ଘମିତ୍ରା ଦାସ ସ୍ୱେଛାସେବୀ ସଂଗଠନ ଆଇଡିଏର ସମ୍ପାଦିକା ସେବତୀ ସିଂ କେନ୍ଦୁଝର ପ୍ରଗତିଶୀଳ ନାଗରିକ ମଞ୍ଚର ସଭାପତି ଧୀରେନ୍ଦ୍ର ରାଉତ, ଉକ୍ତ ଗ୍ରାମକୁ ଯାଇ ସ୍ଥାନୀୟ ସରପଞ୍ଚ ଦମୟନ୍ତି ନାଏକ, ଅଙ୍ଗନବାଡ଼ି କର୍ମୀ ସୁମିତ୍ରା ମୁଣ୍ଡାଙ୍କ ଉପସ୍ଥିତିରେ ଉଭୟ ପରିବାରକୁ ଆପଶ ବୁଝାମଣା କରାଇଛନ୍ତି।

ସୂଚନାଯୋଗ୍ୟ ଯେ ୬ ମାସ ପୂର୍ବରୁ ପୀଡିତା ନାବାଳିକା ନିଜ ଦାଦାପୁଅ ସହିତ ଜଙ୍ଗଲରେ ଛେଳି ଚରାଉ ଥିବା ସମୟରେ ଦାଦାପୁଅ ଭାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା କିନ୍ତୁ ନାବାଳିକା ଗର୍ଭବତୀ ହେବା ପରେ ସବୁ କଥା ଜଣାପଡିଥିଲା । ପରେ ନାବାଳିକା ଘଟଗାଁ ଥାନାରେ ଅଭିଯୋଗ କରିଥିଲେ । ନାବଳିକାର ଅଭିଯୋଗ ପରେ ଦାଦାପୁଅକୁ ପୋଲିସ ଗିରଫ କରି ରାଉରକେଲା ସ୍ଥିତ ବାଳଶ୍ରମକୁ ପଠାଇଥିଲା। ଗତ ୬ ତାରିଖରେ ନାବାଳିକା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁତ୍ର ସନ୍ତାନ ଜନ୍ମଦେବା ପରେ ୧୦ ତାରିଖରେ ଗାଁ କୁ ଆସିଥିଲେ। ଗ୍ରାମବାସୀ ଏ କଥା ଜାଣି ପୀଡିତା ଏବଂ ପୀଡିତାର ପରିବାରକୁ ବାସନ୍ଦ କରିଥିଲେ।