ସାତକୋଶିଆରେ ଅସୁରକ୍ଷିତ ଘଡ଼ିଆଳ କୁମ୍ଭୀର, ସପ୍ତାହରେ ୨ ମଲେଣି

ଅନୁଗୁଳ,୨୯ା୮/ଏନ୍ଏନ୍ଏସ୍: ସାତକୋଶିଆର ମହାନଦୀ ଗଣ୍ଡରେ ଜଙ୍ଗଲ ବିଭାଗ ପକ୍ଷରୁ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି ପାଇଁ ନନ୍ଦନକାନନରୁ ଦେଢ଼ ବର୍ଷ ବୟସର ୨ଟି ଅଣ୍ଡିରା ଓ ୩ଟି ମାଈ ଛୁଆଙ୍କ ସମେତ ସମୁଦାୟ ୫ଟି କୁମ୍ଭୀର ଅଣାଯାଇଥିବାବେଳେ ଗତ ୭ ଦିନ ମଧ୍ୟରେ ଦୁଇଟି ଘଡ଼ିଆଳ ମୃତ୍ୟୁବରଣ କରିଛନ୍ତି। ଗତ ଜୁଲାଇ ୨୦ରେ ପ୍ରାଣୀ ବୈଜ୍ଞାନିକ ରାଜେଶଙ୍କ ସମେତ ସମୁଦାୟ ୪ ଜଣ ବୈଜ୍ଞାନିକ ଏବଂ ସାତକୋଶିଆ ବନ୍ୟପ୍ରାଣୀ ନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ସାତକୋଶିଆ ଉପରମୁଣ୍ଡ ସୁନାଖଣିଆଠାରେ ମହାନଦୀରେ ସେଗୁଡ଼ିକୁ ଛଡ଼ାଯାଇଥିଲା। କୁମ୍ଭୀର ଛୁଆଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ୍ୟପ୍ରାଣୀ ବିଭାଗପକ୍ଷରୁ ସେମାନଙ୍କ ଦେହରେ ଜିପିଏସ ଟ୍ରାନ୍ସମିଟର ଲଗାଯାଇଥିଲା। କିନ୍ତୁ ଘଡ଼ିଆଳ ଛଡ଼ା ଯିବାର ଠିକ୍ ମାସେ ପରେ ଅର୍ଥାତ୍ ଚଳିତ ଅଗଷ୍ଟ ମାସ ୨୨ ତାରିଖରେ ସାତକୋଶିଆ ଗଣ୍ଡରେ ଗୋଟିଏ ଘଡ଼ିଆଳ ମୃତ୍ୟୁବରଣ କରିଥିଲା। ତାର ମୃତଦେହ ସାତକୋଶିଆ ଗଣ୍ଡର ୫୦କିମି ଦୂର ଆଠଗଡ଼ ଉପଖଣ୍ଡର ଅଂଶୁପା ହ୍ରଦ ନିକଟ ମହାନଦୀର ହଣାଘାଇ ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା। ସାତକୋଶିଆ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର କରିବା ସହ ତା’ ଦେହରେ ଲାଗିଥିବା ମୂଲ୍ୟବାନ ଜିପିଏସ୍ ଟ୍ରାନ୍ସମିଟରକୁ ଉଦ୍ଧାର କରିଥିଲେ। ସେ ଘଟଣାକୁ ୭ ଦିନ ନପୁରୁଣୁ ପୁଣି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବିନିକେଇ ଠାକୁରାଣୀ ନିକଟ ସାତକୋଶିଆର ମହାନଦୀ ଗଣ୍ଡର ଆରମ୍ଭ ସ୍ଥଳରେ ଅନ୍ୟ ଏକ ଘଡ଼ିଆଳ କୁମ୍ଭୀର ଛୁଆ ମରି ଭାସୁଥିବା ଦେଖିବାକୁ ମିଳିଛି। ବନ ବିଭାଗ ମୃତ କୁମ୍ଭୀରକୁ ଆଣି ବ୍ୟବଚ୍ଛେଦ କରିଛି। ସୂଚନାଯୋଗ୍ୟ ଯେ, ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପରେ ବନ ବିଭାଗର ଖାମଖିଆଲି ନୀତି ଯୋଗୁଁ କିଛି ଦିନ ପୂର୍ବେ ମହାବୀର ନାମକ ମହାବଳ ବାଘର ମୃତ୍ୟୁ ଘଟିଥିଲା। ତାର ମୃତ ଶରୀରକୁ ଆଠଗଡ଼ ବନ ଖଣ୍ଡର ନରସିଂହପୁର ଜଙ୍ଗଲଠାରେ ଠାବ କରାଯାଇଥିଲା।