ଏଣିକି କ୍ଷଣିକରେ ପ୍ରସ୍ତୁତ ହେବ ପାନ୍ କାର୍ଡ

ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ତିଆରି କରିବା ବେଶ୍ ସହଜ ସାବ୍ୟସ୍ତ ହେବ। ଆବେଦନ କରିବାର କିଛିକ୍ଷଣ ମଧ୍ୟରେ ହିଁ ଆବେଦନକାରୀଙ୍କୁ ସେମାନଙ୍କର ପାନ୍ କାର୍ଡ ମିଳିଯିବ। ଆୟକର ବିଭାଗ ଖୁବ୍ ଶୀଘ୍ର ପାନ୍ କାର୍ଡ ପ୍ରସ୍ତୁତ କରିବା ଲାଗି ଏକ ନୂତନ ସୁବିଧା ଶୁଭାରମ୍ଭ କରିବା ନେଇ ଯୋଜନା ଚଳାଇଛି। ଏହି ସୁବିଧା ଅନ୍ତର୍ଗତ ଆଧାର କାର୍ଡ ଜରିଆରେ ଆବେଦନକାରୀଙ୍କର ସମସ୍ତ ତଥ୍ୟ ଯାଞ୍ଚ କରାଯିବ। ଆୟକର ବିଭାଗ ତରଫରୁ ଆସନ୍ତା କିଛି ସପ୍ତାହ ମଧ୍ୟରେ ହିଁ ଏହି ସେବାକୁ ଶୁଭାରମ୍ଭ କରାଯିବ। ଆବେଦନକାରୀଙ୍କ ସହିତ ଯେଉଁମାନଙ୍କର ପାନ୍ କାର୍ଡ ହଜିଯାଇଥିବ କିମ୍ବା ନକଲ ପାନ୍ କାର୍ଡ ପାଇଁ ଆବେଦନ କରିଥିବେ, ସେମାନଙ୍କୁ ମଧ୍ୟ ଏହି ନୂତନ ସେବାର ଫାଇଦା ମିଳିବ।

ଆୟକର ବିଭାଗ ମୁତାବକ, ଇଲେକ୍ଟ୍ରୋନିକ୍ ପାନ୍ ନମ୍ବର (ଇ-ପାନ୍)ର ସୁବିଧା ସମସ୍ତ ଆବେଦନକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ନିଃଶୁଳ୍କ ରହିବ। ଇ-ପାନ୍ ତିଆରି କରିବା ପାଇଁ ଆଧାର କାର୍ଡର ତଥ୍ୟକୁ ଯାଞ୍ଚ କରାଯିବ। ଆଧାର ତଥ୍ୟକୁ ଯାଞ୍ଚ କରିବା ପାଇଁ ଆବେଦନକାରୀଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ। ଆଧାରରେ ଦିଆଯାଇଥିବା ଠିକଣା, ବାପା-ମା’ଙ୍କ ନାମ ଏବଂ ଜନ୍ମ ତାରିଖ ଆଦି ସମସ୍ତ ତଥ୍ୟକୁ ଅନଲାଇନ୍ ଆକ୍ସେସ୍ କରାଯିବା ପରେ ପାନ୍ କାର୍ଡ ତିଆରି ପାଇଁ ଆବେଦନକାରୀଙ୍କୁ ଅନ୍ୟ କୌଣସି ଦସ୍ତାବିଜ୍ ଅପଲୋଡ୍ କରିବାର ଆବଶ୍ୟକ ରହିବ ନାହିଁ। ପାନ୍ ନମ୍ବର ଜେନେରେଟ୍ ହେବା ପରେ ଆୟକର ବିଭାଗ ପ୍ରଥମେ ଆବେଦନକାରୀଙ୍କୁ ଡିଜିଟାଲ୍ ରୂପେ ସ୍ୱାକ୍ଷରିତ ଇ-ପାନ୍ ଜାରି କରାଯିବ।

ଏହି ଡିଜିଟାଲ୍ ପାନ୍ ରେ ଏକ କ୍ୟୁଆର୍ କୋଡ୍ ରହିବ, ଯେଉଁଥିରେ କୌଣସି ପ୍ରକାରର ଠକେଇ ଓ ଫଟୋସପ୍ ଜରିଆରେ ବଦଳାଯାଉଥିବା ସୂଚନାକୁ ରୋକିବା ପାଇଁ ତଥ୍ୟ ରଖାଯିବ। ପାଇଲଟ୍ ପ୍ରକଳ୍ପ ରୂପେ ଆୟକର ବିଭାଗ ପକ୍ଷରୁ ଗତ ଆଠଦିନ ମଧ୍ୟରେ ୬୨ ହଜାରରୁ ଅଧିକ ଇ-ପାନ୍ ଜାରି କରାଯାଇଛି। ବର୍ତ୍ତମାନ ଏହାକୁ ସମଗ୍ର ଦେଶରେ ପ୍ରଚଳନ କରାଯିବା ନେଇ ପ୍ରସ୍ତୁତି ଚାଲିଛି।