ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୫ା୯/ଏନ୍ଏନ୍ଏସ୍: ରାଜ୍ୟରେ ଥିବା ସବୁ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ଦିଗରେ ସରକାର ଯେପରି ଗୁରୁତ୍ୱ ଦେଉଛନ୍ତି ସେହିପରି ସ୍କୁଲ ପରିସରରେ ପରିଷ୍କାର ପରିଚ୍ଛନ୍ନତା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବା ଉଚିତ୍। ରାଜ୍ୟରେ ଯେଉଁ ସ୍ୱୁଲଗୁଡ଼ିକରେ ଅଧିକ ସ୍ୱଚ୍ଛତା ରହିବ ସମ୍ପୃକ୍ତ ସ୍କୁଲକୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବୁଧବାର ଓଡ଼ିଶା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଦାଶ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟର ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟ ସରକାର ବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରିବା ଦିଗରେ ମଧ୍ୟ ପ୍ରଚେଷ୍ଟା ଜାରି ରଖିଛନ୍ତି। ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନରେ ଯେଉଁ ବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବ ସେହି ସ୍କୁଲଗୁଡ଼ିକୁ ସମ୍ମାନୀତ କରିବା ଏହି ପୁରସ୍କାର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଚିତ୍ରା ଅରୁମୁଗମ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ଓ ନେଲସନ୍, ସ୍ୱଚ୍ଛ ବିଶେଷଜ୍ଞ ପ୍ରତିଭା ସିଂ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ସମ୍ପର୍କରେ ଗୁରୁତ୍ୱାରାପ କରିଥିଳେ।