ଡିଜିଟାଲ୍ ପେମେଣ୍ଟରେ ଟ୍ରାଞ୍ଜାକ୍ସନ୍ ଫେଲ ହେଲେ ମିଳିବ ଦୈନିକ ୧୦୦ ଟଙ୍କା!

ନୂଆଦିଲ୍ଲୀ: ଗୁଗଲ ପେ, ପୋନ୍ ପେ, ପେଟିଏମ୍, ଫ୍ରି ଚାର୍ଜ, ଭିମ୍ ୟୁପିଆଇ ପରି ଯଦି ଗ୍ରାହକଙ୍କ ଅନଲାଇନ୍ ନେଣଦେଣ କୌଣସି କାରଣରୁ ବିଫଳ ହେଉଛି ଏବଂ ଦିନକ ମଧ୍ୟରେ ତାଙ୍କୁ ଟଙ୍କା ଫେରସ୍ତ ଆସୁନାହିଁ, ତେବେ କ୍ଷତିପୂରଣ ବାବଦକୁ ତାଙ୍କୁ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ମିଳିବ। ଏ ସମ୍ବନ୍ଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର୍ ଜାରି କରି ବ୍ୟାଙ୍କ ଏବଂ ଡିଜିଟାଲ୍ ୱାଲେଟ୍ କମ୍ପାନୀଗୁଡ଼ିକୁ ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି।

ଅନଲାଇନ୍ ନେଣଦେଣ ବିଫଳ ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ରାହକମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ହେବ। ନଚେତ୍ ନିର୍ଦ୍ଧାରିତ ସମୟ ପରଠାରୁ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ଡିଜିଟାଲ୍ ୱାଲେଟ୍ସକୁ ଜୋରିମାନା ଆକାରରେ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ହେବ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଛି।

ଏହି ନୂତନ ନିୟମ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟର୍ଫେସ୍ (ୟୁପିଆଇ), ଇମିଡିଏଟ୍ ପେମେଣ୍ଟ ସିଷ୍ଟମ୍ (ଆଇଏମପିଏସ୍), କାର୍ଡ ଟୁ କାର୍ଡ ପେମେଣ୍ଟ, ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିଅରିଂ ହାଉସ୍ (ଏନଏସିଏଚ୍) ଆଦି ଉପରେ ଲାଗୁ ହେବ। ଆର୍ବିଆଇ ସମସ୍ତ ଅପରେଟର୍ ଏବଂ ଅଧିକୃତ ପେମେଣ୍ଟ ସିଷ୍ଟମଗୁଡ଼ିକୁ ସର୍କୁଲାର୍ ଜାରି କରି ଏ ସମ୍ବନ୍ଧରେ ସୂଚିତ କରିଛି।

ଶେୟାରଧାରକଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ବିଫଳ ନେଣଦେଣ କ୍ଷେତ୍ରରେ ଟଙ୍କା ଫେରସ୍ତ କରିବା ଲାଗି ସମୟସୀମା ଏବଂ ଜୋରିମାନା ରାଶି ଧାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଗ୍ରାହକମାନଙ୍କର ବିଶ୍ୱାସ ବଢ଼ିବା ସଙ୍ଗେସଙ୍ଗେ ବିଫଳ ନେଣଦେଣ ପ୍ରକ୍ରିୟାରେ ଉନ୍ନତି ଆସିବ ବୋଲି ଆରବିଆଇ ପକ୍ଷରୁ ଉଲ୍ଲେଖ କରାଯାଇଛି।

ଏଟିଏମ୍ ନେଣଦେଣ କ୍ଷେତ୍ରରେ ଯଦି ଆକାଉଣ୍ଟଧାରକଙ୍କ ଆକାଉଣ୍ଟରୁ ଟଙ୍କା କଟିଥିବ, କିନ୍ତୁ ନେଣଦେଣ ବିଫଳ ଲେଖୁଥିବ ବା ଟଙ୍କା ଉଠାଣ ହୋଇପାରିନଥିବ, ତେବେ ବ୍ୟାଙ୍କକୁ ଆଗାମୀ ୫ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହେବ। ଯଦି ଏହି ଫେରସ୍ତ ପ୍ରକ୍ରିୟାରେ ୫ ଦିନରୁ ଅଧିକ ସମୟ ଲାଗେ, ତେବେ ବ୍ୟାଙ୍କକୁ ଟଙ୍କା ଫେରସ୍ତ ନକରିବା ପର୍ଯ୍ୟନ୍ତ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ଗ୍ରାହକମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି।

ସେହିପରି ୟୁପିଆଇ ନେଣଦେଣ କ୍ଷେତ୍ରରେ ଦିନକ ମଧ୍ୟରେ ଟଙ୍କା ଫେରସ୍ତ ନକଲେ, ଏହା ପରଠାରୁ ୧୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ହେବ। କାର୍ଡ-ଟୁ-କାର୍ଡ ନେଣଦେଣ କ୍ଷେତ୍ରରେ ଏହି ସମୟସୀମା ୫ ଦିନ, ୟୁପିଆଇ ଓ ବ୍ୟବସାୟୀଙ୍କ ମଧ୍ୟରେ ହେଉଥିବା ଅନଲାଇନ୍ ନେଣଦଣ କ୍ଷେତ୍ରରେ ଦିନେ ଏବଂ ପିଓଏସ୍ ନେଣଦେଣ କ୍ଷେତ୍ରରେ ୫ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି।