ବିଶାଖାପାଟଣାରେ ଗ୍ୟାସ ଲିକ ଘଟଣାର ପୁନରାବୃତ୍ତି

ବିଶାଖାପାଟନା,ଏଜେନ୍ସି: ସାରା ଦେଶ କରୋନା ଯୁଦ୍ଧରେ ବ୍ୟସ୍ଥ ଥିବା ବେଳେ ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖାପାଟନା ସ୍ଥିତ ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍ ଲିକ୍ ହୋଇ ୩ ଶହରୁ ଊର୍ଦ୍ଧ୍ୱ ଲୋକେ ଗୁରୁତର ହୋଇଥିଲେ। ଏହା ପରେ ପୁଣି ଥରେ ବିଳମ୍ବିତ ରାତିରେ କମ୍ପାନୀରୁ ଗ୍ୟାସ ଲିକ ହୋଇଥିଲା।

ସୂଚନା ଅନୁସାରେ ରାତିରେ ଉକ୍ତ କମ୍ପାନୀର ଗ୍ୟାସ ପାଇପ ସଜାଡିବା ବେଳେ ପୁଣି ଥରେ ଗ୍ୟାସ ଲିକ୍ ହୋଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କହିରଖିବା ଉଚିତ ହେବକି, ଏଲଜି ପଲିମର ପ୍ଲାଣ୍ଟରୁ ରାସାୟନିକ ବିଷାକ୍ତ ଗ୍ୟାସ ଷ୍ଟାଇଲିନ ନିର୍ଗତ ହେବାରୁ ଗତକାଲି ସକାଳ ସମୟରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ ଜଣ ପ୍ରଭାବିତ ହୋଇଥିଲେ।

ଏହି କାରଣରୁ ପ୍ଲାଣ୍ଟ ଠାରୁ ପ୍ରାୟ ୪ ରୁ ୫ କିମି ପରିଧି ଭିତରେ ଥିବା ଗୋପାଲପାଟନମ, ସିଂହଚଳମ, ପିନାଗାଡି ପରି ଗାଁ ବା ଅଂଚଳ ମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ବିଳମ୍ବିତ ରାତି ସମୟରେ ଏହି ବିଷାକ୍ତ ଗ୍ୟାସର ଦୁର୍ଗନ୍ଧ ପାଖଆଖ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ନେଇ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ପୁଲିସ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ସ୍ଥାନାନ୍ତରିତ ହେବାରେ ସାହାଯ୍ୟ କରୁଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଗୁରୁବାର ଭୋର ୩.୪୫ ସମୟରୁ ଲଗାତାର ଭାବେ ଏକ କାରଖାନାରୁ ଗ୍ୟାସ ନିର୍ଗତ ହେଉଛି । ଅନ୍ୟ ପକ୍ଷରେ ବିଶାଖାପାଟନମ ପୋଲିସ କମିଶିନର ଆର.କେ ମୀନା ପ୍ରକାଶ କରିଛନ୍ତିକି, ଭୟଭୀତ ହେବାର କୌଣସି କାରଣ ନାହିଁ ।

ଅତି ଶୀଘ୍ର ଗ୍ୟାସ ନିର୍ଗତ ପରିମାଣକୁ ଅଟକାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଗୁରୁବାର ସକାଳର ଘଟଣା ପରେ ଆର ଆର ଭେଙ୍କଟପୂରମ ସମେତ ଚାରି ଗାଁରୁ ପ୍ରାୟ ୧୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଘଟଣା ସ୍ଥଳରେ ୧୦ ଟି ଫାଇଆର ଇଂଜିନ ଓ ଦୁଇଟି ଫୋମ ଫାଇଟରଙ୍କୁ ଧୁଆଂ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି । ଏହା ସହ କିଛି ଆମ୍ବୁଲାନ୍ସକୁ ଜରୁରୀ ପରିସ୍ଥିତି ପାଇଁ ମୁତୟନ କରାଯାଇଛି ।