ବରଗଡ଼,ଏନ୍ଏନ୍ଏସ୍: ରବିବାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଯାହାକୁ ନେଇ ଜିଲ୍ଲାର ପ୍ରତି ଗାଁରେ ପ୍ରସ୍ତୁତି ଆରମ୍ଭ ହୋଇଯିବା ସହ ପଦ୍ମପୁର ଅଞ୍ଚଳରେ ଅନନ୍ୟ ପରମ୍ପରା ‘ଗରବଚରୁ’ ଆରମ୍ଭ ହୋଇଯାଇଛି। ଏନେଇ ଝାଙ୍କର ଘରକୁ ଘର ଯାଇ ନୂଆଧାନ ପ୍ରଦାନ କରିବାରେ ଲାଗିପଡିଛନ୍ତି।
ପଶ୍ଚିମ ଓଡିଶାରେ ଗଣପର୍ବ ନୂଆଖାଇ ପାଇଁ ଗାଁଠୁ ସହର ଚଳଚଞ୍ଚଳ ହୋଇଛି। ସାମାଜିକ ଓ ସାଂସ୍କୃତିକ ବାର୍ତ୍ତା ବହନ କରୁଥିବା ଏହି କୃଷିଭିତ୍ତିକ ଗଣପର୍ବ ପାଇଁ ଗାଁର ସମସ୍ତ ଲୋକେ ଘରଦ୍ୱାରା ସଫାସୁତୁରା କରିବା ସହ ଗ୍ରାମ ଦେବାଦେବୀଙ୍କ ନିକଟରେ ପୂଜାପାର୍ବଣ ନୀତି ଆରମ୍ଭ ହୋଇଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମର ଝାଙ୍କର ତଥା ପୂଜକ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦେବାଦେବୀ ପୂଜା କରିବା ସହ ନୂଆଖାଇର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏହି କ୍ରମରେ ପଦ୍ମପୁର ଉପଖଣ୍ଡରେ ରହିଛି ଭିନ୍ନ ଏକ ପରମ୍ପରା। ଯାହାକୁ କି ଗରବଚରୁ ପୂଜା କୁହାଯାଉଥିବା ବେଳେ ପାଇକମାଲ ବ୍ଲକ୍ ପୁରେନା ଗ୍ରାମରେ ନୂଆଖାଇ ପୂର୍ବରୁ ଏହା ଆରମ୍ଭ ହୋଇଯାଇଛି। ଗାଁରେ ଥିବା ଦେବୀ ଦୁର୍ଗେଇ, ଠାକୁର ବୁଢ଼ୀ, ବସ୍ତରେନ, ଛୁଟୀବୁଡି, ମାଟିଗୁଡି, ଝାଙ୍କର ବୁଢ଼ା ଆଦି ଦେବାଦେବୀଙ୍କ ଠାରେ ବିଧିବିଧାନରେ ପୂଜାନୀତି ଆରମ୍ଭ ହୋଇଛି। ଏହା ସହ ନବାନ୍ନ ଧାନକୁ ଅର୍ପଣ କରି ପୂଜା କରି ଗାଁର ଝାଙ୍କର ତଥା ପୂଜାରୀ ଘରକୁ ଘର ବୁଲି ନୂଆଧାନ ଦେଇ ନୂଆଖାଇର ଶୁଭ ମନାସୀଛନ୍ତି।