ପୁଲିସ ପୋଷାକ ପିନ୍ଧି ଗଞ୍ଜେଇ ଚାଲାଣ: ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସକୁ ମିଳିଛି ବଡ ସଫଳତା। ପୁଲିସର ପୋଷାକ ପିନ୍ଧି ଏବଂ ଗାଡ଼ିରେ ପୁଲିସ ଲେଖି ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ବର୍ତ୍ତମାନ ଓରକେଲ ପୁଲିସ ଏଭଳି ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଓରକେଲ ପୁଲିସ ବିଶେଷ ସୂତ୍ରରୁ ଖବରପାଇ ଗୁରୁବାର ରାତ୍ରି ୨ ଟା ସମୟରେ ଏସଆଇ ମିଲନ ମଜୁମଦାରଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା ଛକ ଡାଇକ-୩ ମୁଖ୍ୟ ରାସ୍ତାର ଖଡ଼ିକାଝୁଡ଼ି ନିକଟରେ ଜଗି ରହିଥିଲା।

ଏହି ସମୟରେ ଏକ ଇନୋଭା କାରକୁ ପୁଲିସ ଅଟକାଇଥିଲା। ତେବେ ଗାଡ଼ିରେ ୩ ଜଣ ଥିବା ବେଳେ ସେମାନେ ପୁଲିସ ପୋଷାକ ପିନ୍ଧିଥିଲେ। ଓରକେଲ ପୁଲିସ ସେମାନଙ୍କୁ କେଉଁ ଅଞ୍ଚଳର ପୁଲିସ ବୋଲି ପଚାରିବାରୁ ସେମାନେ ବିହାର ରାଜ୍ୟର ବୋଲି ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଗାଡିର ନମ୍ବର ପ୍ଲେଟ ଓଡିଶାର ଥିଲା। ତେଣୁ ପୁଲିସର ସନ୍ଦେହ ହେବାରୁ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲା। ଗାଡ଼ିରେ ଫେକ୍ ନଂ(ଓଡି-୩୩ବି-୩୬୭୬) ଲାଗିଥିବା ଜଣାପଡ଼ିଥିଲା। ପରେ ପୁଲିସ ଗାଡିଟିର ଅସଲି ନଂ(ଡିଏଲ-୪ସିଏଇ-୭୫୬୦) ବୋଲି ଜାଣିବାକୁ ପାଇଥିଲା।

ଅଭିଯୁକ୍ତମାନେ ହିନ୍ଦୀ ଭାଷା କହୁଥିବା ବେଳେ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ରହୁନଥିଲା। ପରେ ପୁଲିସ ଉକ୍ତ ଗାଡ଼ିକୁ ଯାଞ୍ଚ କରିଥିଲା। ପରେ ଗାଡ଼ିରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱହେବ ବୋଲି ପୁଲିସ ସୂଚନା ଦେଇଛି। ସେହିପରି ଗଞ୍ଜେଇ ଚାଲାଣକାରୀଙ୍କର ନାମ ଗୁଡିକ ହେଲା ରାଜୁ ଖରିଫା(୨୪), ରାଜୀବ କୁମାର(୨୬) ଏବଂ ଆକାଶ କୁମାର(୨୬)। ସେମାନଙ୍କ ଭିତରୁ ବିହାର ରାଜ୍ୟ ପାଟନା ଜିଲ୍ଲାର ମଉଜିପୁର ଏବଂ ସରିସ୍ତାବାଦ ଗ୍ରାମର ଦୁହେଁ ଥିବାବେଳେ ଅନ୍ୟ ଜଣେ ମୁଜାଫରପୁରର ବୋଲି ପୁଲିସ ସୂଚନା ଦେଇଛି।

ତେବେ ସେମାନେ ଏହି ଗଞ୍ଜେଇକୁ ନାକାମାମୁଡ଼ି ଅଞ୍ଚଳରୁ ନିଜ ରାଜ୍ୟ ବିହାରକୁ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସୂଚନା ଦେଇଛନ୍ତି। ଏଥିସହ କେସ୍ ନଂ-୦୬/୨୧ରେ ମାମଲା ରୁଜୁ କରି ଧାରା ୪୧୯,୪୬୮ ଏବଂ ୪୭୧ ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।