ଦେଓଗାଁ ଏନ୍ଏଚ୍ ଉପରେ ଦୁର୍ଘଟଣା ଗ୍ରସ୍ତ ପ୍ରେସ୍ ଗାଡିରୁ ଗଞ୍ଜେଇ ଜବତ

ଦେଓଗାଁ,ଏନ୍ଏନ୍ଏସ୍: ଜାତୀୟ ରାଜପଥ ନଂ-୨୬ ଦେଓଗାଁ ସୋନଗଡ଼ ନଦୀ ଉପରେ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଏନେଇ ପୁଲିସ ଖବର ପାଇ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିଛି। ସେଥିମଧ୍ୟରୁ ଗୋଟିଏ ଗାଡ଼ିରେ ପ୍ରେସ୍ ଷ୍ଟିକର ଲଗାଯାଇଥିବା ବେଳେ ସେଥିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

ସୂଚନା ଅନୁସାରେ ଆଜି ଭୋର ସକାଳ ୬ଟା ୧୫ ମିନଟ ସମୟରେ ଡାକବଙ୍ଗଳା ପଟରୁ ଯାଉଥିବା ଏକ ସ୍ୱିଫ୍ଟ ଡିଜାୟାର (ଓଡି-୦୨ଏଜି-୦୪୫୩) ସହ ବଲାଙ୍ଗିର ପଟୁ ଆସୁ ଥିବା ଟାଟା ଏସି (ଓଡି-୦୩ଏମ୍-୩୨୮୦) ସୋନଗଡ଼ ନଦୀ ବ୍ରିଜ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିର ବସିଥିବା ଡ୍ରାଇଭର ଓ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟାଟା ଏସି ଗାଡ଼ିର ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଦୁର୍ଘଟଣା ପରେ ପ୍ରେସ ଲେଖାଥିବା ସ୍ୱିପ୍ଟ ଡିଜାୟାର ଗାଡ଼ିର ଯାତ୍ରୀମାନେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ତଦନ୍ତ କରିବା ପରେ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ଉକ୍ତ ଗାଡ଼ିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଓ ଗଞ୍ଜେଇକୁ ଦେଓଗାଁ ପୁଲିସ ଜବତ କରି ଥାନାକୁ ଆଣିଛି।