ଭୟାନକ ସ୍ଥିତିରେ ଗଞ୍ଜାମ କରୋନା ପରିସ୍ଥିତି: ନିରଞ୍ଜନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ସରକାର ଯେଉଁ ସବୁ ଯୋଜନା କରୁଛନ୍ତି , ସେ ସବୁକୁ ଠିକ ଭାବେ ପାଳନ କରୁନାହାନ୍ତି। ଯାହାଦ୍ୱାରା ଆମ ରାଜ୍ୟରେ କରୋନା ଅତି ଭୟଙ୍କର ପରିସ୍ଥିତିରେ ପହଞ୍ଚିଲାଣି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଶେଷ କରି ଗଞ୍ଜାମ ପରିସ୍ଥିତି ବର୍ତ୍ତମାନ ଅତି ଭୟାବହ ହେଲାଣି। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଓ ସରକାରୀ ଉଦାସୀନତା ସମ୍ପର୍କରେ କେତେକ ତଥ୍ୟ ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ ଆଜିର ପ୍ରେସ ବିବୃତିରେ ଉଦବେଗ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟର ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି।
ସେହିଭଳି ସର୍ଭେ ଓ ସଂକ୍ରମିତ ବ୍ୟକ୍ତିମାନଙ୍କ ପରୀକ୍ଷା ଧିମା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଣ୍ଟିଜେନ ଓ ଆଣ୍ଟି ପିସିଆର୍ ଟେଷ୍ଟ କରାଯାଉଛି। ଟେଷ୍ଟ ରିପୋର୍ଟ ସଠିକ୍ ହେଉନି। ଟେଷ୍ଟ ପାଇଁ ମୋବାଇଲ ଗାଡ଼ି ଅଛି। କିନ୍ତୁ ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ। ଟେଷ୍ଟ ବିଳମ୍ବ ହେଉଛି। ଏଣୁ ବହୁ ଲୋକଙ୍କ ଟେଷ୍ଟ ପୂର୍ବରୁ ଜ୍ୱରରେ ପୀଡ଼ିତ ହୋଇ କୋଭିଡ ହସ୍ପିଟାଲ୍ ଯିବା ପୂର୍ବରୁ ମୃତ୍ୟୁ ହେଉଛି।   କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। ଆସିଥିବା ଇଞ୍ଜେକ୍ସନ ରୋଗୀଙ୍କୁ ଦିଆଯାଉନାହିଁ। ଅପରପକ୍ଷେ ଉକ୍ତ ଇଞ୍ଜେକ୍ସନ ବଜାରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର ଖାଦ୍ୟ ଦିଆଯାଉଛି। ସୁସ୍ଥ ହେବା ପୂର୍ବରୁ ରୋଗୀଙ୍କୁ ଡିସଚାର୍ଜ  କରାଯାଉଛି। ଏଣୁ ସ୍ଥାନୀୟ ପଜିଟିଭ ସଂଖ୍ୟା ବଢ଼ୁଛି। ଜିଲ୍ଲାକୁ ୧୩୦ ଜଣ ଆୟୁଷ ଡାକ୍ତର ଡେପୁଟେସନରେ ଆସିଥିବା କୁହାଯାଇଛି। କିନ୍ତୁ ରୋଗୀ ସେବା ମିଳୁନି। ମୁଖ୍ୟମନ୍ତ୍ରୀ ଆଜି ଦୁଇଟି ହସ୍ପିଟାଲ ଉଦଘାଟନ କରିବେ। କନିଶି ନିକଟରେ ଅଶ୍ୱିନୀ ହସ୍ପିଟାଲ୍ ସହାୟତାରେ ୧୫୦ ଶଯ୍ୟା ବିଶିଷ୍ଟ ଅମିତ ହସ୍ପିଟାଲ କାର୍ଯ୍ୟ କରୁଛି। କିନ୍ତୁ ସେଠାରେ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ହୋଇନି। ନିରଞ୍ଜନ ଆହୁରି କହିଛନ୍ତି ଯେ, ମୃତ୍ୟୁ ପରେ ଶବ ପରିବାରକୁ ଦିଆଯାଉନାହିଁ। ଖବର ବି ମିଳୁନି। ଦିନ ଦିନ ଧରି ଶବ ପଡ଼ିରହିଛି। ହିନ୍ଦୁ ପରମ୍ପରା ଅନୁସାରେ ଶବ ସତ୍କାର ହେଉନି। ମାଟି ଖୋଳି ଗାତରେ ଶବ ପକାଇ କିରାସିନି ଢାଳି ନିଆଁ ଲଗାଇ ଦେଉଛନ୍ତି। ଆମ୍ବୁଲାନ୍ସ ରୋଗୀଙ୍କୁ ହସ୍ପିଟାଲ୍ ନେଉନି। ଜିଲ୍ଲାରେ ୧୦୪ଟି ଆମ୍ବୁଲାନ୍ସ ମିଳିଥିବା ପ୍ରଶାସନ କହିଛି। କିନ୍ତୁ ପ୍ରକୃତପକ୍ଷେ ସେବା ମିଳୁନାହିଁ। ଗଞ୍ଜାମ ଜିଲ୍ଲାରେ ପ୍ରବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।