ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ଜିଲ୍ଲାପାଳଙ୍କ ପଞ୍ଚସୂତ୍ରୀ ନିୟମ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆତଙ୍କ। ତେବେ ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଆପଣାଉଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଦୋକାନୀମାନଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ କରିଛନ୍ତି। ଏଥିରେ ଦୋକାନ ସମ୍ମୁଖରେ ଡବଲ ବ୍ୟାରିକେଡ କରିବେ, ନିଜେ ମାସ୍କ ପିନ୍ଧିବେ, ନୋ ମାସ୍କ ନୋ ଗୁଡ୍ସ ନୋଟିସ ମାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଗ୍ରାହକଙ୍କ ସୁରକ୍ଷା ପାଇଁ ସବୁ ଦୋକାନ ସାମ୍ନାରେ ୨ ମିଟର ବ୍ୟବଧାନରେ ସର୍କଲ କରିବେ ଓ ଦୋକାନୀମାନେ ସାନିଟାଇଜର ଓ ହାତ ଧୋଇବାର ବ୍ୟବସ୍ଥା କରିବେ।

ସେହିପରି ଗ୍ରାହକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କଣ୍ଟାକ୍ଟ ଡାଏରୀ କରିବାକୁ ଦୋକାନୀମାନଙ୍କୁ କୁହାଯାଇଛି। ସେଥିରେ ଗ୍ରାହକ ଆସିଲେ ସେମାନଙ୍କ ଠିକଣା ରଖିବେ ଦୋକାନୀ। ନିୟମ ନମାନିଲେ ଜୋରିମାନା ସହ ଜେଲ ଓ ମାସେ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଯେଉଁମାନେ ଘରେ ନ ରହି ପଦାକୁ ଆସି କ୍ରିକେଟ, ତାସ ଭଳି ବାହ୍ୟ ଖେଳ ଖେଳୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଏତଲା ହେବ ଓ ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କୁହାଯାଇଛି।