ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ: ୧୪୪୩ କେଜି ଜବତ, ୨ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଫାଟକ ନିକଟରେ ପୋଲିସ ଗତକାଲି ରାତ୍ରିରେ ଅଭିନବ ଉପାୟରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଯୋଗେ ବହୁ ମାତ୍ରାରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗାଡ଼ି ସହ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୨ ଜଣକୁ ଗିରଫ କରିଛି। ମାଥିଲି ଏସ.ଆଇ ପଂଚାନନ ବେହେରାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଗାଡ଼ି ଯାଂଚ ବେଳେ ମାଡ଼କାପଦର ପଟୁ ଆସୁଥିବା ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟରକୁ ଅଟକାଇଥିଲେ।

ଡ୍ରାଇଭର ଜଣକକୁ କାଗଜପତ୍ର ମାଗିବାରୁ କୌଣସି କାଗଜପତ୍ର ଦେଖାଇ ପାରିନଥିଲା। ଫଳରେ ସନ୍ଦେହରେ ଯାଂଚ କରିବାରୁ ପାଣି ଟ୍ୟାଙ୍କର ଭିତରେ ବହୁ ମାତ୍ରାରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ପୋଲିସ କେସ ନମ୍ବର ୧୬୦ରେ ଏକ ମାମଲା ରୁ୍ଜୁ କରି ଟ୍ୟାଙ୍କରରେ ଥିବା ୧୪ କ୍ୱିଂଟାଲ ୪୩ କିଲୋଗ୍ରାମ ୨ ଶହ ଗ୍ରାମ ଗଞ୍ଜେଇ , ଟ୍ରାକ୍ଟର ସହ ଟ୍ୟାଙ୍କର ଜବତ କରିବା ସହ ଏଥିରେ ସଂପୃକ୍ତ ୨ ଜଣକୁ ଗିରଫ କରିଛି।

ଗିରଫଙ୍କ ମଧ୍ୟରୁ ଜଣେ ଉତରପ୍ରଦେଶର ମଥୁରା ଜିଲ୍ଲାର ସାଜଦପୁର ଗ୍ରାମର ଉଦୟ ଚାନ୍ଦ(୩୬) ଓ ଅନ୍ୟ ଜଣେ ମାଲକାନଗିରି ଜିଲ୍ଲାର ସର୍ଗିଗୁଡ଼ା ଗ୍ରାମର ସାଦନ ପାଙ୍ଗି(୩୨)ବୋଲି ଜଣାପଡ଼ିଛି। ଏହି ଗଞ୍ଜେଇକୁ ମାଲକାନଗିରିରୁ ଉତରପ୍ରଦେଶକୁ ଚାଲାଣ କରାଯାଉଥିବା ଆରକ୍ଷୀ ଅଧିକ୍ଷକ ରିଶିକେଷ ଡି ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ.ଡି.ପି.ଓ ପ୍ରହଲ୍ଲାଦ ସହାଇ ମୀନା ଯୋଗ ଦେଇଥିଲେ।