ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୫ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି, କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡ଼ି ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ-୨, ଡାଇକ-୩, ବନ୍ଧାମାମୁଡ଼ି ଗ୍ରାମ ନିକଟସ୍ଥ ଜମି ଓ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ ପୁଲିସ ନଷ୍ଟ କରିଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସଦଳବଳେ ମିଶି ଉକ୍ତ ୩୦ ଏକର ଜମିରୁ ୫୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ କାଟିବା ସହ ଗଛଗୁଡ଼ିକୁ ପେଟ୍ରୋଲ ଲଗାଇ ଜାଳି ପୋଡ଼ି ନଷ୍ଟ କରିଦେଇଛି। ଏହାର ଅନୁମାନିକ ମୂଲ୍ୟ ୫ କୋଟିରୁ ଉର୍ଦ୍ଧ ହେବ ବୋଲି ପୁଲିସ ସୂଚନା ଦେଇଛି। ପରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଆଗାମୀ ଦିନରେ ମଧ୍ୟ ଏପରି ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯିବ ବୋଲି ଥାନାଧିକାରୀ ସୂର୍ୟ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି।