୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ସଦର ପୁଲିସ୍ ଏକ ବଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜରିପାଳ ଗାଁର ସମିତ୍ ନାୟକ(୨୫), ତପନ ମାଝୀ(୨୫), କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଭାଟିଗୁଡ଼ା ଗ୍ରାମର ବିଜୟ ପାଙ୍ଗି (୨୮) ଓ ବଳରାମ ଖରା(୨୩)।

ସୂଚନାଯୋଗ୍ୟ, ବୈପାରିଗୁଡ଼ା ଅଞ୍ଚଳରୁୁ ଏକ ବଲେରୋ ଜିପରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ଖବର ପାଇବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ ଏ .ମହାକୁଡ଼, ଏଏସଆଇ ଏସ.କେ.ସାମଲ୍ ଓ ଅନ୍ୟମାନେ ମାଲକାନଗିରି-ଜୟପୁର ୩୨୬ନଂ ଜାତୀୟ ରାଜପଥର ପାତ୍ରପୁଟ ବ୍ରୀଜ୍ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଆଉ ବଲେରୋ ପହଞ୍ଚିବା ମାତ୍ରକେ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରୁ ୩୩୬କିଲୋ ୮୦୦ ଗ୍ରାମ ଗଞ୍ଜେଇ ମିଳିଥିଲା।