ବିସିସିଆଇର ସଭାପତି ହେବେ ସୌରଭ ଗାଙ୍ଗୁଲି

‘ବିସିସିଆଇକୁ ସଜାଡିବା ପ୍ରଥମ କାମ’

ମୁମ୍ବାଇ: ଲୋଧା କମିଟି ସୁପାରିସ୍ ଅନୁଯାୟୀ ଆସନ୍ତା ୨୩ରେ ବିଶ୍ୱ କ୍ରିକେଟରେ ସବୁଠାରୁ ବିତ୍ତଶାଳୀ ସଂଗଠନ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ (ବିସିସିଆଇ)ର ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ୫ଟି ପଦ ଲାଗି ନିର୍ବାଚନ ହେଉଥିଲାବେଳେ ଅନ୍ୟ ୩ଟି ପଦବୀ ମନୋନୟନ ଆକାରରେ ପୂରଣ ହେବ। ଏହି ନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ପ୍ରାର୍ଥିପତ୍ର ଦାଖଲର ଶେଷ ପରେ ପ୍ରତ୍ୟେକ ପଦରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ଏମାନେ ସମସ୍ତେ ନିଦ୍ୱର୍ନ୍ଦ୍ୱର୍ରେ ନିର୍ବାଚିତ ହେବା ନିଶ୍ଚିତ୍ ହୋଇଛି।

ଏହା ମଧ୍ୟରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଥିବା ସୌରଭ ଗାଙ୍ଗୁଲି ସଭାପତି, ମହିମ ବର୍ମା ଉପସଭାପତି, ବରୋଦାର ପ୍ରତିନିଧି ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ସମ୍ପାଦକ, ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ, ପୂର୍ବତନ ବିସିସିଆଇ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସାନ ଭାଇ ଅରୁଣ କୁମାର ଧୂମାଲ କୋଷାଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏମାନେ ସମସ୍ତେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ।

ସଭାପତି ପଦ ଲାଗି ଆଶାୟୀଥିବା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି କର୍ଣ୍ଣାଟକର ବ୍ରିଜେଶ ପଟେଲ ଇଣ୍ଡିଆନ ପ୍ରିମିୟର ଲିଗ୍ କମିଶନର, ଗଭର୍ଣ୍ଣିଂ କାଉନ୍ସିଲ ସଦସ୍ୟ ଖଇରୁଲ ଜମିଲ ମଜୁମଦାର ଏବଂ କାଉନ୍ସିଲର ପ୍ରଭଜ୍ୟୋତ ସିଂ ଭାଟିଆ ଦାୟିତ୍ୱ ଗ୍ରହଣ କରିବା ରାସ୍ତ ପରିଷ୍କାର ହୋଇଯାଇଛି। ରବିବାର ଏଠାରେ ସମସ୍ତ ରାଜ୍ୟସଂଘଗୁଡିକର ପ୍ରତିନିଧିମାନଙ୍କୁ ନେଇ ଏକ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରିଜେଶ ପଟେଲ ସଭାପତି ହେବା ପ୍ରାୟ ସ୍ଥିର ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସୌରଭ ଗାଙ୍ଗୁଲିଙ୍କ ନାମରେ ମୋହର ବାଜିଥିଲା। ସୌରଭ ୫ ବର୍ଷହେଲା ବେଙ୍ଗଲ କ୍ରିକେଟ ସଂଘର ସଭାପତି ଭାବେ ରହିଆସିଛନ୍ତି। ସେ ଯଦି ସଭାପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଲୋଧା କମିଟି ନିୟମ ଅନୁଯାୟୀ ଆସନ୍ତାବର୍ଷ ଜୁଲାଇରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ।

କାର୍ଯ୍ୟକାଳ କେତେଦିନ ରହିବ ତାହା ବଡ କଥା ନୁହେଁ ମୁଁ ଦାୟିତ୍ୱ ନେଲେ ପ୍ରଥମେ ବିସିସିଆଇକୁ ପ୍ରଥମେ ସଜାଡିବାକୁ ଉଦ୍ୟମ କରିବି ବୋଲି ସଭାପତି ଭାବେ ନିର୍ବାଚିତ ହେବା ନିଶ୍ଚିତ ହେବା ପରେ ଗାଙ୍ଗୁଲି କହିଛନ୍ତି। ବିସିସିଆଇକୁ ଯେଉଁମାନେ ପରିଚାଳନା କରିବା କଥା ସେହି ରାଜ ସଂଘ ଗୁଡିକ ଗତ ୩ ବର୍ଷ ହେଲା ନିଜ ପରିଚୟ ପାଇବାକୁ ସୁପ୍ରିିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ (ସିଓଏ)ର ଦ୍ୱାରସ୍ଥ ହେଉଥିଲେ। ଏହି ସମୟରେ ଭାରତୀୟ କ୍ରିକେଟ ଜରୁରୀ କାଳୀନ ପରିସ୍ଥିତି ଦେଇ ଗତି କରୁଥିଲା। ଏହାକୁ କିପରି ସହଜ କରିହେବ ତାହା ଉପରେ ଗୁରୁତ୍ୱ ଦେବି। ବିସିସିଆଇକୁ ସଜାଡିବା ଦାୟିତ୍ୱ ୮ଜଣଙ୍କ ଉପରେ ନ୍ୟସ୍ତ ରହିଛି। କିନ୍ତୁ ସମସ୍ତ ରାଜ୍ୟସଂଘର ସହଯୋଗ ନ ମିଳିଲେ ତାହାକୁ କାର୍ଯ୍ୟକାରୀ କରିବା କଷ୍ଟକର। ମୁଁ ଯେତେବେଳେ ୨୦୦୦ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲି ସେତେବେଳେ ମଧ୍ୟ ସଙ୍କଟଜନକ ସମୟ ଦେଇ ଭାରତୀୟ କ୍ରିକେଟ ଗତିକରୁଥିଲା। ଏବେ ମଧ୍ୟ ସେହି ଅବସ୍ଥା ଜାରି ରହିଛି। ଏହାକୁ ମୁକାବିଲା କରିବା ମୋ ଲାଗି ଏକ ଆହ୍ୱାନ ଏବଂ ଏହାକୁ ମୁଁ ସ୍ୱୀକାର କରୁଛି। ବିସିସିଆଇ ସଭାପତି ହେବା ଅପେକ୍ଷା କ୍ରିକେଟ ପଡ଼ିଆରେ ଦଳର ନେତୃତ୍ୱ ନେବା ଅଧିକ କଷ୍ଟକର। ଏହାକୁ ମୁଁ ସଫଳତାର ସହ ଅତିକ୍ରମ କରିଥିବାରୁ କ୍ରିକେଟ ପ୍ରଶାସନରେ ମଧ୍ୟ ସଫଳ ହେବି। ଅନ୍ତର୍ଜାତୀୟ ସ୍ତରରେ ବିସିସିଆର ସମ୍ମାନ ଫେରାଇବା, ପ୍ରଥମଶ୍ରେଣୀ କ୍ରିକେଟରଙ୍କ ମ୍ୟାଚ୍ ଫି ବୃଦ୍ଧି ଏବଂ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ମୋର ସବୁଠାରୁ ବଡ କାମ ହେବ।
-ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ

ଭାରତୀୟ କ୍ରିକେଟରେ ଦ୍ୱୈତସ୍ୱାର୍ଥ ସବୁଠାରୁ ବଡ ସମସ୍ୟା ଭାବେ ଦେଖାଦେଇଛି। ଏହାକୁ କିପରି ସଜାଡିହେବ ଏବଂ ଭଲ ଖେଳାଳିମାନେ ଦାୟିତ୍ୱରେ ରହିବେ ତାହା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ସେ ନିଜେ ଦୈ୍ୱତ ସ୍ୱାର୍ଥ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଥିଲାଗି ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ପଦ ଛାଡିବାକୁ ପଡ଼ିଥିଲା। ଏବେ ବିସିସିଆଇ ସଭାପତି ଦାୟିତ୍ୱ ଗ୍ରହଣ କଲେ ବେଙ୍ଗଲ କ୍ରିକେଟ ଆସୋସିଏସନ ସଭାପତି ପଦରୁ ଇସ୍ତଫା ଦେବେ। ଅକ୍ଟୋବର ୨୩ ପରେ ବିଭିନ୍ନ କମିଟି ଓ ସବ୍ କମିଟି ଗଠନ କରାଯିବ। ଏହା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ସିନିୟର ସିଲେକ୍ସନ କମିଟି ମଧ୍ୟ ରହିଛି। ଆସନ୍ତା ସପ୍ତାହରେ ବାଂଲାଦେଶ ବିପକ୍ଷ ସିରିଜ୍ ଲାଗି ଭାରତୀୟ ଦଳ ଚୟନ କରାଯିବ ଏବଂ ଏହା ଏମ୍ଏସ୍କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ଶେଷ ଚୟନ ହେବ।

କିିଏ କେଉଁ ଦାୟିତ୍ୱ ନେବେ
ସଭାପତି : ସୌରଭ ଗାଙ୍ଗୁଲି
ଉପସଭାପତି : ମହିମ ବର୍ମା
ସମ୍ପାଦକ : ଜୟ ଶାହ
ଯୁଗ୍ମ ସମ୍ପାଦକ : ଜୟେଶ ଜର୍ଜ
କୋଷାଧ୍ୟକ୍ଷ : ଅରୁଣ କୁମାର ଧୂମାଲ
ଆଇପିଏଲ କମିଶନର : ବ୍ରିଜେଶ ପଟେଲ
ଜିସି ମେମ୍ବର : କେ.ଜେ. ମଦୁମଦାର
କାଉନ୍ସିଲର : ପ୍ରଭଜ୍ୟୋତ ସିଂ ଭାଟିଆ