ଗାଙ୍ଗୁଲି ହେଲେ ବିସିଆଇର ସଭାପତି, ଜୟ ସମ୍ପାଦକ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପୁତ୍ର ଜୟ ଶାହ ବିସିସିଆଇ (ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ ଇନ୍ ଇଣ୍ଡିଆ)ର ଯଥାକ୍ରମେ ନୂଆ ସଭାପତି ଓ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ ମଙ୍ଗଳବାର ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସମସ୍ତ କର୍ମକର୍ତ୍ତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡ କ୍ରିକେଟ ସଂଘ ସମ୍ପାଦକ ମହିମ ବର୍ମା ବିସିସିଆଇ ଉପସଭାପତି, କେରଳ କ୍ରିକେଟ ସଂଘ ସମ୍ପାଦକ ଜୟେଶ ଜର୍ଜ ନୂଆ ଯୁଗ୍ମ ସମ୍ପାଦକ ଏବଂ କେନ୍ଦ୍ରଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନଭାଇ ଅରୁଣ ସିଂ ଧୂମାଲ ନୂଆ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଗତ ସପ୍ତାହରେ ସମସ୍ତ ରାଜ୍ୟ ସଂଘଗୁଡିକ ଏକାଠି ହୋଇ ଗୋଟିଏ ପଦବୀ ଲାଗି ଜଣେ ଜଣେ ପ୍ରାର୍ଥିଙ୍କୁ ମନୋନୀତ କରିଥିଲେ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଏହି ୫ଟି ପଦବି ଲାଗି ଅନ୍ୟ କୌଣସି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଥିଲା। ମଙ୍ଗଳବାର ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିର୍ବାଚିତ ପ୍ରତିନିଧିମାନେ ବିଧିବଦ୍ଧଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଏମାନେ କାର୍ଯ୍ୟଭାର ଗ୍ରହଣ କରିବା ସହ ୩୩ ମାସ ହେଲା ବିସିସିଆଇକୁ ପରିଚାଳନା କରିଆସୁଥିବା କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସର କାର୍ଯ୍ୟକାଳ ଶେଷ ହୋଇଛି। ବିନୋଦ ରାୟ ଏହି କମିଟିର ଅଧ୍ୟକ୍ଷ ଶେଷଯାଏ ତୁଲାଇଥିଲେ। ଭାରତୀୟ ମହିଳା ଦଳର ଅଧିନାୟିକା ଡାଏନା ଏଡୁଲଜୀ ମଧ୍ୟ ଶେଷଯାଏ ସଦସ୍ୟ ରହିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ବିସିସିଆଇର ସମ୍ମାନ ପୁନଃପ୍ରତିଷ୍ଠା କରିବା, ପ୍ରଥମଶ୍ରେଣୀ କ୍ରିକେଟରଙ୍କ ଲାଗି ଉନ୍ନତ ପ୍ୟାକେଜ୍, ଦ୍ୱୈତସ୍ୱାର୍ଥଜନିତ ସମସ୍ୟା ଆଦିର ସମାଧାନ କରିବା ଗାଙ୍ଗୁଲି ଓ ତାଙ୍କ ଟିମ୍ ଲାଗି ଚ୍ୟାଲେଞ୍ଜ ହେବ।

ତେବେ ଗାଙ୍ଗୁଲି କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି ରହିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ନେଇ ଯେଉଁ ସାହସିକତାର ପରିଚୟ ଦେଇଥିଲେ, ସେହି ଅଭିଜ୍ଞତା ଏଠାରେ କାମରେ ଆସିବ ବୋଲି ଆଶା କରାଯାଉଛି। ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ଗଭର୍ଣ୍ଣିଂ ବୋର୍ଡରେ ସାମିଲ ହେବା ଏବଂ ଏହାର ନକରାତ୍ମକ ଚିନ୍ତାଧାରା ସହ ଲଢେଇ କରିବା ବିସିସିଆଇର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ସବୁଠାରୁ ବଡ ଆହ୍ୱାନ ହେବ ବୋଲି ଆଶଙ୍କା କରାଯାଉଛି।