ଓଡ଼ିଶାରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର,ଏନ୍ଏନ୍ଏସ୍: ୫ ଦିନର ଲୁଚକାଳି ପରେ ଗତକାଲି ପୁଣି ପୁଲିସ ହାତରେ ଧରାପଡିଥିବା ଗ୍ୟାଙ୍ଗଷ୍ଟର ହାଇଦର୍ ଆଜି ଓଡିଶାରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ କଟକ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଥିଲେ। ତେଲେଙ୍ଗାନା ପୁଲିସ ସହାୟତାରେ ରଙ୍ଗାରେଡ଼ି ଜିଲ୍ଲାରୁ ହାଇଦରକୁ ଗିରଫ କରାଯାଇଥିଲା। ପରେ ପୁଲିସ ତାକୁ ବିମାନ ଯୋଗେ ଭୁବନେଶ୍ୱରକୁ ଆଣିବା ପରେ ତାକୁ କଟକ ଥାନାକୁ ନିଆଯାଇଛି। ସେଠାରେ ତାକୁ କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ ଯେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ଅଲ୍ଲୀ ପୁଲିସକୁ ଚକମା ଦେଇ ଏସସିବି ମେଡିକାଲରୁ ଫେରାର ହୋଇଯାଇଥିଲା। ହାଇଦର ଅଲ୍ଲୀ ୨ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ସର୍କଲ ଜେଲରେ ଆଜୀବନ କାରାଦଣ୍ଡରେ ଥିଲା। ସେ ଦୀର୍ଘ ୧୬ ବର୍ଷ ହେଲା ଜେଲରେ ଥିଲା। ସେଠାରେ ସେ ଅସୁସ୍ଥ ହୋଇପଡିବାରୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା। ଚିକିତ୍ସା ପରେ ୧୦ ତାରିଖ ଦିନ କୌଶଳକ୍ରମେ ହାଇଦର ଅଲ୍ଲୀ ଫେରାର ହୋଇଯାଇଥିଲା।