ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟର ମାମଲା, ରିପୋର୍ଟ ତଲବ କଲେ ଓଏଚଆରସି

  • ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟର୍ ଘଟଣାରେ ନିଜଆଡ଼ୁ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ (ଓଏଚଆରସି)। ଏନେଇ ରିପୋର୍ଟ ତଲବ କରିଛନ୍ତି। ଗଣମାଧ୍ୟମର ରିପୋର୍ଟକୁ ଭିତ୍ତି କରି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।
    ହାଇଦର ଏନକାଉଣ୍ଟର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଗୃହ ବିଭାଗ, ପୁଲିସ ଡିଜି, ଜେଲ ଡିଜି, ଟୁଇନ୍ ସିଟି କମିସନର, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିଶନ।
    ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ପୁଲିସ ବାଲେଶ୍ୱର ଜିଲ୍ଲାର ସିମୁଳିଆ ନିକଟରେ ହାଇଦରକୁ ଏନ୍କାଉଣ୍ଟର କରିଥିଲା। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବାବେଳେ ଅଧାରାସ୍ତାରେ ଖସିଯିବାକୁ ହାଇଦର ଚେଷ୍ଟା କରିଥିବା ସମୟରେ ପୁଲିସ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
    ପୁଲିସଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଯାଇଥିଲା ବୋଲି ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନାରେ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। ହାଇଦରକୁ ଏସକର୍ଟ କରି ନେଇଥିବା ଥାନାଧିକାରୀ ଗଙ୍ଗାଧର ସାସେନି ସିମୁଳିଆ ଥାନାରେ ଏହି ଏତଲା ଦେଇଛନ୍ତି। ଏଥିରେ ଲେଖାଯାଇଛି ଯେ, ସିମୁଳିଆରେ ପରିସ୍ରା କରିବା ପାଇଁ ହାଇଦର କହିବାରୁ ତାକୁ ନେଉଥିବା ଗାର୍ଡ, ଗୋଟିଏ ହାତର ହ୍ୟାଣ୍ଡକପ ଖୋଲିଥିଲେ। ଏହାର ସୁଯୋଗ ନେଇ ଗାର୍ଡଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇ ପୁଲିସ ଆଡ଼କୁ ଦେଖାଇ ଧମକାଇ ଥିଲା ଗ୍ୟାଙ୍ଗଷ୍ଟର ହାଇଦର।