ଲିଭର୍ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ପୂର୍ବତନ ବକ୍ସର ଗାଙ୍ଗୋମ ଡିଙ୍କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ଲିଭର୍ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ପୂର୍ବତନ ବକ୍ସର ଗାଙ୍ଗୋମ ଡିଙ୍କୋ ସିଂହଙ୍କ ୪୨ ବର୍ଷ ବୟସରେ ପରଲୋକ ହୋଇଛି। ମଣିପୁର ବାସିନ୍ଦା ଗାଙ୍ଗୋମ ଡିଙ୍କୋ ସିଂହଙ୍କ ଦେହାନ୍ତରେ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି। ୨୦୧୭ ମସିହାରୁ ସେ ରୋଗାଗ୍ରସ୍ତ ଥିଲେ। କ୍ୟାନସର ସହ ଗତବର୍ଷ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ ଗାଙ୍ଗୋମ ଡିଙ୍କୋ ସିଂହ। କରୋନାକୁ ସେ ପରାସ୍ତ କରିଥିଲେ ସୁଦ୍ଧା କ୍ୟାନସରଠୁ ଜିତି ପାରିଲେ ନାହିଁ।

୧୯୯୮ ମସିହାରେ ବ୍ୟାଙ୍କକରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ସେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିବର୍ଷ ତାଙ୍କୁ ପ୍ରଦାନ କରାଯାଇଥିଲା ଅର୍ଜୁନ ପୁରସ୍କାର। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ରେ ଗାଙ୍ଗୋମ ଡିଙ୍କୋ ସିଂହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।