ବରଗଡ,ଏନ୍ଏନ୍ଏସ୍: ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଦେବୀଙ୍କୁ ଗଙ୍ଗାଜଳରେ ମହାସ୍ନାନ ପୂର୍ବକ ମହାଭୋଗ ଅର୍ପଣ କରାଯାଇଥିଲା। ଯାହାକୁ ନେଇ ଶନିବାର ଭୋରରୁ ମନ୍ଦିର ପରିସରରେ ଭକ୍ତମାନେ ଲମ୍ବାଧାଡିରେ ପହଞ୍ଚି ମାଁ’ଙ୍କୁ ମହାସ୍ନାନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହି ଅବସରରେ ମହାଭୋଗ ଅର୍ପଣ କରାଯାଇଥିବା ବେଳେ ପରେ ଭକ୍ତମାନଙ୍କୁ ସେହି ମହାଭୋଗ ପ୍ରସାଦ ଆକାରରେ ଦିଆଯାଇଥିଲା। ଅପରପକ୍ଷେ ସପ୍ତଶତୀ ଚଣ୍ଡୀପାଠ ହୋମ ସହ ମାଁ’ଙ୍କର ବାସନ୍ତିକ ପୂଜାର ପୂଣ୍ଣାହୂତୀ ଅନୁଷ୍ଠିତ ହୋଇଥିଲା।
ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କୁ ଗଙ୍ଗାଜଳରେ ମହାସ୍ନାନ କରାଯାଇଥିଲା। ମହାସ୍ନାନ ପାଇଁ ତ୍ରିବେଣୀ ସଂଗମରୁ ଗଙ୍ଗାଜଳ ଅଣାଯାଇଥିବା ବେଳେ ତାହା ଭକ୍ତ ମାନଙ୍କୁ ପ୍ରଦାନ କରାଯିବା ସହ ତାକୁ ନେଇ ମାଁ’ଙ୍କର ଜଳାଭିଷେକ କରିଥିଲେ। ଭୋର ୪ଟା ୩୦ ମିନିଟରେ ମାଁ’ଙ୍କର ପହଡ ଭାଙ୍ଗିବା ପରେ ମାଁ’ଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବା ସହ ଭକ୍ତମାନଙ୍କ ଦ୍ୱାରା ମାଁ’ଙ୍କର ଗଙ୍ଗା ଜଳାଭିଷେକ କରାଯାଇଥିଲା। ପରେ ଭୋର ୫ଟା ୩୦ରୁ ମାଁ’ଙ୍କର ଗଙ୍ଗାଜଳାଭିଷେକ ଆରମ୍ଭ ହୋଇଥିବା ବେଳେ ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇ ଗରା ବାଲଟିରେ ଗଙ୍ଗାଜଳରେ ମାଁ’ଙ୍କ ମହାସ୍ନାନ କରିବାର ସୌଭାଗ୍ୟ ଲାଭ କରିଥିଲେ।