ମହିଳାଙ୍କ ମୃତ୍ୟୁକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ସୋମବାର ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ମୃତ୍ୟୁ ହୋଇଥିବା ବେଳେ ଏ ନେଇ ଘଟଣାସ୍ଥଳରେ ଉତ୍ତେଜାନ ଦେଖାଦେଇଛି। ଏଥିରେ ଜଣେ ଯୁବକ ଆହତ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ ମୃତ ମହିଳାଜଣକ ହେଲେ ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ସତ୍ୟବାନ ମହାଳିକଙ୍କ ପତ୍ନୀ ସାବିତ୍ରୀ ମହାଳିକ(୩୦)। ଏକ ଘରୋଇ ଝଗଡ଼ାକୁ କେନ୍ଦ୍ର କରି ଗତକାଲି ମଧ୍ୟାହ୍ନରେ ସାବିତ୍ରୀ କନିଅର ମଞ୍ଜି ଖାଇ ଗୁରୁତର ହୋଇଥିଲେ। ପରେ ତାଙ୍କୁ ସ୍ୱାମୀ ଓ ଶାଶୂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ।

ରାତ୍ରି ପ୍ରାୟ ୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସୋମବାର ସକାଳେ ସାବିତ୍ରୀଙ୍କ ଶ୍ୱଶୁର ଘରଲୋକ ଏବଂ ସାହିଲୋକ ହସ୍ପିଟାଲରେ ଥିବା ବେଳେ ସାବିତ୍ରୀଙ୍କ ବାପଘର ପକ୍ଷ କିଛି ଲୋକ ସେଠାରେ ପହଞ୍ଚି ହଠାତ ଆକ୍ରମଣ କରିଥିଲେ। ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଯାଇଥିଲା। ଏହି ଆକ୍ରମଣ ମୃତ ମହିଳାଙ୍କ ଦିଅର ଜିତେନ୍ଦ୍ର ମହାଳିକ ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଖାନା ଫାଣ୍ଡି ପୁଲିସ ମୃତ ମହିଳାଙ୍କ ସ୍ୱାମୀ, ଘରଲୋକ ଓ ଆକ୍ରମଣ କରିଥିବା ସାବିତ୍ରୀଙ୍କ ବାପଘର ଏବଂ ସମ୍ପର୍କୀୟଙ୍କୁ ଅଟକ ରଖିଛି।