ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ, ଖଣ୍ଡଗିରି ଥାନାରେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧାରୁ ଉଦ୍ଧାର ହୋଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ପରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଖଣ୍ଡଗିରି ଥାନାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ପୁଲିସ ପୀଡିତାଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କ ଅଭିଯୋଗର ସତ୍ୟାସତ୍ୟ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ମହିଳା କମିଶନ ଘଟଣାର ଅନୁଧ୍ୟାନ କରିବାକୁ ଥାନାରେ ପହଞ୍ଚିଛନ୍ତି । ତାଙ୍କ ସହିତ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଜଣକ ପୂର୍ବରୁ ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଚର୍ଚ୍ଚାକୁ ଆସିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ଅଭିଯୋଗ ଅନୁସାରେ ଗତାକାଲି ନୟାଗଡ଼ ଗଣିଆ ଅଞ୍ଚଳର ଯୁବତୀଙ୍କୁ ରାଜଧାନୀରୁ ଆଣି ତାଙ୍କ ସହ ଦୁଷ୍କର୍ମ କରି ଖୋର୍ଦ୍ଧା ପିଏନ କଲେଜ ନିକଟସ୍ଥ ମଶାଣି ନିକଟରେ ଫୋପାଡ଼ି ଦେଇଥିଲେ। ପରେ ସେଠାରୁ ଯୁବତୀ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଖଣ୍ଡଗିରି ପୁଲିସ ଜଟଣୀ ଥାନା କୁଡିୟାରୀର ମନୋରଞ୍ଜନ ମହାନ୍ତିଙ୍କୁ ଗିରଫ କରିବା ସହିତ ଏକ କାର ଜବତ କରିଛି।