ମହାତ୍ମା ଗାନ୍ଧୀ ରହିଥିବା ଘର ହେବ ମ୍ୟୁଜିୟମ୍

କୋଲକାତା: ୧୯୪୭ରେ ମହାତ୍ମା ଗାନ୍ଧୀ କୋଲକାତା ଗସ୍ତରେ ଯାଇ ବେଲିଆଘାଟର ଯେଉଁ ଘରେ ଅବସ୍ଥାନ କରିଥିଲେ। ସେହି ଘରକୁ ସ୍ଥାୟୀ ମ୍ୟୁଜିୟମ୍ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ବର୍ତ୍ତମାନ ଅକ୍ଟୋବର ଦୁଇରୁ ତିନିସପ୍ତାହ ପାଇଁ ଉକ୍ତ ଘରଟିକୁ ଲୋକଙ୍କ ପାଇଁ ଖୋଲାଯିବ। ସମ୍ପୃକ୍ତ ଘରେ ଗାନ୍ଧୀଙ୍କ ବ୍ୟବହୃତ ସାମଗ୍ରୀମାନ ପ୍ରଦର୍ଶନ କରାଯିବ।

୧୯୪୭ରେ ଭାରତ ସ୍ୱାଧୀନତା ଲାଭ କରିବା ପରେ ଅଗଷ୍ଟ-ସେପ୍ଟେମ୍ବରରେ କୋଲକାତାରେ ଦଙ୍ଗା ସୃଷ୍ଟି ହୋଇଥିଲା। ଉକ୍ତ ଦଙ୍ଗାର ପ୍ରତିକାର କରିବା ପାଇଁ ମହାତ୍ମା ଗାନ୍ଧୀ ଅଗଷ୍ଟ ୧୩ରେ କୋଲକାତାରେ ପହଞ୍ôଚଥିଲେ। ଗାନ୍ଧୀ ଓ ତାଙ୍କ ସମର୍ଥକମାନେ ଉକ୍ତ ଘରେ ଥିବା ୭ଟି କକ୍ଷରୁ ଦୁଇଟିରେ ଅବସ୍ଥାନ କରିଥିଲେ। ଦଙ୍ଗା ବନ୍ଦ ଦାବିରେ ଗାନ୍ଧୀ ଅଗଷ୍ଟ ୩୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। ଦୁଇ ସମ୍ପ୍ରଦାୟର ନେତାମାନେ ଅସ୍ତ୍ର ପକାଇ କାନ୍ଦିକାନ୍ଦି କ୍ଷମା ପ୍ରାର୍ଥନା କରିବା ପରେ ସେପ୍ଟେମ୍ବର ୪ରେ ମହାତ୍ମା ଗାନ୍ଧୀ ଅନଶନରୁ ଓହରିଥିଲେ। ୧୯୫୦ରୁ ପୂର୍ବ କୋଲକାତା ଗାନ୍ଧୀ ସ୍ମାରକ ସମିତି ଉକ୍ତ ଘରର ଦେଖାଶୁଣା କରିଆସୁଛି।