ଦୀର୍ଘ ୮ ବର୍ଷ ହେଲା ସମବାୟ ସମିତି ଜମିକୁ କବ୍ ଜା କରି ରଖିଛି ଗାନ୍ଧିଛକ ଫାଣ୍ଡି ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦୀର୍ଘ ୮ ବର୍ଷ ହେଲା ଲମଟିବାହାଲ ସମବାୟ ସମିତିର ଜମିକୁ କବଜା କରିଛି ଗାନ୍ଧିଛକ ଫାଣ୍ଡି ପୁଲିସ। ଏହି ଜମିରେ ପୁଲିସ ଜବତ କରୁଥିବା ଗାଡିକୁ ଆଣି ରଖୁଛି। ଗାଡିଗୁଡିକ ଜରାଜିର୍ଣ୍ଣ ଅବସ୍ଥାରେ ଲମଟିବାହାଲ ସମବାୟ ସମତି ଅଫିସ ସମ୍ମୁଖରେ ପଡିରହିଛି। ଫଳରେ ଏହି ଅଞ୍ଚଳର ଚାଷୀମାନେ ସମବାୟ ସମିତିକୁ ଧାନ ଆଣି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଚାଷୀମାନେ ବାରମ୍ବାର ଗାନ୍ଧିଛକ ଫାଣ୍ଡି ପୁଲିସକୁ କହିବା ପରେ ମଧ୍ୟ ଗାଡ଼ିଗୁଡିକୁ ହଟାଉ ନାହାଁନ୍ତି । ଫଳରେ ଆଜି ଚାଷୀମାନେ ପୁଲିସ ଜବତ କରିଥିବା ଗାଡିଗୁଡିକୁ ସମବାୟ ସମିତିର ଜମିରୁ ସ୍ଥାନାନ୍ତର କରୁ ବୋଲି ଦାବି କରିଥିଲେ। ସେମାନେ କହିଥିଲେ ଗାନ୍ଧିଛକରେ ଫାଣ୍ଡି ପ୍ରତିଷ୍ଠା ପାଇଁ ସମବାୟ ସମିତି ନିଜର ପ୍ରାୟ ୭ ଡେସିମିଲ ପ୍ରଦାନ କରିଥିଲା। ହେଲେ ପୁଲିସ ସେହି ଜମିରେ ଜବତ ଗଡିଗୁଡିକୁ ନରଖି ଏବେ ସମବାୟ ସମିତିର ଜମିରେ ରଖିଛି। ଯାହା ଫଳରେ ଚାଷୀର ଧାନ ବୋଝେଇ ଗାଡି ସମବାୟ ସମିତି ଭିତରକୁ ପ୍ରବେଶ କରି ପାରୁନାହିଁ। ଫଳରେ ଚାଷୀର ଧାନ ଓଜନ ତଥା ମାନ ନିର୍ଦ୍ଧାରଣ ହୋଇପାରୁ ନାହିଁ।

ତେଣୁ ଆଜି ପୁଲିସ ନିଜର ଜବତ ଗାଡିକୁ ସମବାୟ ସମିତି ଜମିରୁ ସ୍ଥାନାନ୍ତର କରୁ ବୋଲି ଚାଷୀମାନେ ଦାବି କରିଥିଲେ। ଅନ୍ୟପଟେ ଆଜି ଲମିଟିବାହାଲ ସମବାୟ ସମିତିରୁ ଚାଷୀ ଗୁରୁଦେବ ବଢେଇଙ୍କ ୩୬ କ୍ୱିଣ୍ଟାଲ ୫ କେଜି ଧାନ ଓ ୟୁବରାଜ ବଢେଇଙ୍କର ପ୍ରାୟ ୫୨ କ୍ୱିଣ୍ଟାଲ ଧାନ ଝାରସୁଗୁଡାର ଏକ ରାଇସ ମିଲ ଏଫଏକ୍ୟୁ ମାନର ନୁହେଁ ବୋଲି ଫେରସ୍ତ କରିଦେଇଥିଲା। ସମବାୟ ସମିତିରେ ଧାନର ମାନ ନିର୍ଦ୍ଧାଣର ହେବା ପରେ ଚାଷୀମାନେ ନିଜର ଧାନକୁ ମିଲକୁ ନେଇଥିଲେ। ସେଠାରେ ଦୁଇ ଦିନ ଧାନଗାଡି ରଖି ଦିନ ରାତି ଜଗିବା ପରେ ଆଜି ମିଲର୍ସ ତାଙ୍କୁ ଧାନରମାନ ଠିକ ନାହିଁ କହି ଫେରାଇ ଦେଇଥିଲେ। ଫଳରେ ଉଭୟ ଚାଷୀ ଆଜି ନିଜ ଧାନକୁ ସମବାୟ ସମିତିକୁ ଆଣିଥିଲେ। ହେଲେ ସମବାୟ ସମିତିର ଜମିରେ ପୁଲିସ ନିଜର ଜବତ ଗାଡି ରଖିଥିବାରୁ ଚାଷୀମାନେ ରାସ୍ତା ଉପରେ ନିଜର ଧାନ ବୋଝେଇ ଗାଡି ଛିଡା କରିବା ପାଇଁ ବାଧ୍ୟ ହୋଇଥିଲେ।