ବିଶ୍ୱର ଚତୁର୍ଥ ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ବାର୍ଷିକୀ ପାଳନ ଅବସରରେ ରାଜଧାନୀରେ ଲୋକାର୍ପିତ ହୋଇଛି ଗାନ୍ଧି ଶାନ୍ତି କେନ୍ଦ୍ର । ଖଣ୍ଡଗିରି-ଚନ୍ଦକା ରାସ୍ତାରେ ୫ ଏକର ପରିମିତ ଜାଗାରେ ନିର୍ମିତ ଗାନ୍ଧି ଶାନ୍ତି କେନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିର୍ଲା ଗ୍ରୁପର ରାଜଶ୍ରୀ ବିର୍ଲା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ସ୍ୱାଧୀନତା ସଂଗ୍ରାମୀମାନେ ଉପସ୍ଥିତ ଥିଲେ ।ବିଶ୍ୱର ଚତୁର୍ଥ ଗାନ୍ଧି ଶାନ୍ତି କେନ୍ଦ୍ର ଭାବେ ଭୁବନେଶ୍ୱରରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

ଏହି କେନ୍ଦ୍ରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସହ ଶାନ୍ତି ଓ ଅହିଂସା ନୀତି ସମ୍ପର୍କିତ ବିଭିନ୍ନ ତଥ୍ୟ ରହିଛି । ବିଭିନ୍ନ ସମୟରେ ଗାନ୍ଧିଜୀ ୭ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ସେ ସମ୍ପର୍କିତ ତଥ୍ୟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଗାନ୍ଧି ଶାନ୍ତି କେନ୍ଦ୍ରରେ ଉପଲବ୍ଧ ହୋଇଛି । ୨୦୧୩ ମସିହାରେ ରାଜ୍ୟ ସଂସ୍କୃତି ବିଭାଗ, ବିର୍ଲା ଗ୍ରୁପ ସହ ଏଥିପାଇଁ ରାଜିନାମା ସ୍ୱାକ୍ଷର କରିଥିଲା । ଆଜି ଲୋକାର୍ପିତ ହୋଇଥିବା ଗାନ୍ଧି ଶାନ୍ତି କେନ୍ଦ୍ର ସୋମବାର ବନ୍ଦ ରହିବ । ମଙ୍ଗଳବାର ଠାରୁ ରବିବାର ପର୍ୟ୍ୟନ୍ତ ଏହି କେନ୍ଦ୍ର ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।