ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତି ପାଳନ କରାଯଉଥିବାବେଳେ ଏ ନେଇ ଆଜି ଭୁବନେଶ୍ୱର ବିଭିନ୍ନ ରାଜନୌତିକ ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି।
ଏହି ଅବସରରେ ମହାତ୍ମାଗାନ୍ଧୀ ପାର୍କରୁ କଂଗ୍ରେସ ଅହିଂସା ପଦଯାତ୍ରା ଆରମ୍ଭ କରିଛି। ଏହି ପଦଯାତ୍ରା ମହାତ୍ମାଗାନ୍ଧୀ ପାର୍କରୁ ଆରମ୍ଭ ହୋଇ କଂଗ୍ରେସ ଭବନ ଯାଏ ଯାଇଛି । ଏହି ପଦଯାତ୍ରାରେ ବହୁସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ଗାନ୍ଧୀଙ୍କୁ ମନେପକାଇଛନ୍ତି । ପଦଯାତ୍ରା ପରେ କଂଗ୍ରେସ ଭବନରେ ଏକ ସଭାର ଆୟୋଜନ କରାଯିବ । କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାର ୩୩ ଜଣ ପ୍ରେରକ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକାଠି କରିବା ଲୋକଙ୍କୁ ସଚେତନ କରାଇବେ।


ସେହିପରି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଜିଲ୍ଲା ତେଲେଙ୍ଗାପେଂଟସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ସେହିପରି ପ୍ରତି ଜିଲ୍ଲାରେ ବିଜେପି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଗାନ୍ଧିଜୀଙ୍କ ବାର୍ତ୍ତା, ସ୍ୱଦେଶୀ, ସ୍ୱଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ । ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ପଦଯାତ୍ରା ଆୟୋଜନ କରାଯିବ।

ଅନ୍ୟପଟେ ପ୍ରତି ବର୍ଷ ପରି ଗାନ୍ଧି ଜୟନ୍ତୀରୁ ବିଜେଡି ମଧ୍ୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ଏହା ଅକ୍ଟୋବର ୧୧ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ୟ୍ୟନ୍ତ ଚାଲିବ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିବେ । ଏହି ପଦଯାତ୍ରା ଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ୟ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳ ଯୋଜନା କରିଛି ।