ସୀମାରେ ଗଳାବାଟ ଖୋଜୁଛି ପାକିସ୍ତାନୀ ଡ୍ରୋନ୍ : ଆତଙ୍କୀଙ୍କୁ ଆଇଏସ୍ଆଇର ଭୟ

ଫିରୋଜପୁର, ଏଜେନ୍ସି : ଭାରତ-ପାକ୍ ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ ପାଇଁ ଗଳାବାଟ ଖୋଜିବା କାମରେ ପାକିସ୍ତାନ ଡ୍ରୋନ୍ ବ୍ୟବହାର କରୁଛି ବୋଲି ଭାରତୀୟ ଗୁପ୍ତଚର ସଂସ୍ଥା ସୂତ୍ରରୁ ପ୍ରକାଶ। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ଆଡ଼ୁ ଏକାଧିକ ଡ୍ରୋନ୍ ଆସୁଥିବାର ଦେଖିବାକୁ ପାଇଥିଲା ପଞ୍ଜାବର ଫିରୋଜପୁର ହୁସେନୱାଲା ସେକ୍ଟର ଅନ୍ତର୍ଗତ ଭାରତ-ପାକ୍ ସୀମାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)। ରାତି ପ୍ରାୟ ସାଢ଼େ ୧୦ଟାରେ ହୁସେନୱାଲା ସେକ୍ଟରରେ ପ୍ରଥମ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଅକ୍ଟୋବର ୯ରେ ହୁସେନୱାଲା ସେକ୍ଟରରେ ଡ୍ରୋନ୍ ଉଡୁଥିବାର ଦେଖି ପଞ୍ଜାବ ପୁଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ସହ ସବୁ ଜିଲ୍ଲା ପୁଲିସକୁ ଆଲର୍ଟ କରି ଦିଆଯାଇଥିଲା। ଭାରତର ଗୁପ୍ତଚର ସଂସ୍ଥା ଦେଇଥିବା ସୂଚନା ଅନୁସାରେ ପାକ୍ ଆତଙ୍କୀମାନେ ଅତ୍ୟାଧୁନିକ କୌଶଳ ଆପଣାଇଛନ୍ତି। ଡ୍ରୋନ୍ ସହାୟତାରେ ଭାରତରେ ଅନୁପ୍ରବେଶ କରିବାକୁ ଚାହୁଁଛନ୍ତି। ଡ୍ରୋନରେ ଲାଗିଥିବା ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା ସାହାଯ୍ୟରେ ଭାରତ-ପାକ୍ ସୀମାରେ ଗଳାବାଟ ଠାବ କରି ଭାରତରେ ପ୍ରବେଶ କରିବା ସେମାନଙ୍କ ପ୍ରଧାନ ଉଦ୍ଦେଶ୍ୟ।

ପାକ୍ ଆତଙ୍କୀମାନେ ହାଇ-ଟେକ୍ ଜିପିଏସ୍ ଓ ପଥପ୍ରଦର୍ଶକ ବ୍ୟବହାର କରୁଛନ୍ତି। ଏହାଛଡ଼ା ପାକ୍ ଆତଙ୍କୀଙ୍କ ଅନୁପ୍ରବେଶ ପାଇଁ ନୂଆନୂଆ ରାସ୍ତା ବାହାର କରି ସେଗୁଡ଼ିକର ନକ୍ସା ପଠାଇବାକୁ ପାକ୍ ଗୁପ୍ତଚର ସଂସ୍ଥା ଆଇଏସଆଇ କଶ୍ମୀରରେ ଲୁଚିଛପି କାମ କରୁଥିବା ଲୋକଙ୍କୁ ପରାମର୍ଶ ଦେଇଛି।

ଆତଙ୍କୀଙ୍କ ନଜର ଗୁରେଜ୍ ସେକ୍ଟର ଉପରେ ପଡ଼ିଛି। ଗୁରେଜ୍ ସେକ୍ଟରରେ ଥିବା ଭାରତୀୟ ସେନା ଶିବିର, ନଦୀନାଳ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନ ଡ୍ରୋନ୍ ବ୍ୟବହାର କରୁଛି। ଏହି ସେକ୍ଟରରେ ଗାଇଡ୍ କାମ କରୁଥିବା ଲୋକଙ୍କ ସହ ପାକ୍ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଇ-ମହମ୍ମଦ ସହ ଗୁପ୍ତ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ସୀମା ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବା ଭାରତୀୟ ଗ୍ରାମଗୁଡ଼ିକରେ କେଉଁ ବ୍ୟକ୍ତିମାନେ ଆତଙ୍କୀ କାର୍ଯ୍ୟରେ ସାହାଯ୍ୟ କରିବେ, ସେ ସମ୍ପର୍କରେ ଆଇଏସଆଇ ଆତଙ୍କୀ ସଂଗଠନକୁ ସୂଚନା ପ୍ରଦାନ କରୁଛି। ଗୁରେଜ ସେକ୍ଟର ଆରପାଖ ପିଓକେରେ ପାକସେନାଙ୍କ ଚଳପ୍ରଚଳ ଉପରେ ଭାରତୀୟ ସେନା ସତର୍କ ଦୃଷ୍ଟି ରଖିଛି। ପିଓକେର ମିନିମାର୍ଗ, କାମ୍ରି, ଡୋମେଲ ଓ ଗୁଲତାରୀ ଅଞ୍ଚଳରେ ପାକସେନା ଛାଉଣୀ ଓ ଆତଙ୍କୀ ଶିବିର ଦେଖିବାକୁ ମିଳୁଛି। ଗିଲଗିଟ୍ ଓ ଚିଲ୍ଲାମ ପୋଷ୍ଟରୁ ଅସ୍ତ୍ରଶସ୍ତ୍ର, କମାଣ ସମେତ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଗୁଡ଼ିକ ଅଣାଯାଇ ପାକସେନାର ନୂତନ ଛାଉଣୀ ଓ ଆତଙ୍କୀ ଶିବିରରେ ଠୁଳ କରାଯାଉଛି। ଇତିମଧ୍ୟରେ ପଞ୍ଜାବ ପୁଲିସ, ଏନଆଇଏ, ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (ର), ଆଇବି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିନିଧିଙ୍କୁ ନେଇ ଗଠିତ ମିଳିତ ଟିମ ଆତଙ୍କୀ ବିରୋଧୀ ଅଭିଯାନ ଚଳାଇବ।