ଭୁବନେଶ୍ୱର,ଏନ୍ଏନ୍ଏସ୍ : ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିଛି । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ । କରୋନା ମହାମାରୀ ପରିସ୍ଥିତିରେ ରଥଯାତ୍ରା ସମ୍ଭବ ହେବନାହିଁ ।
କୋର୍ଟଙ୍କ ରାୟ ପରେ ବଡ଼ଦାଣ୍ଡରେ ରଥଯାତ୍ରା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ମନ୍ଦିର ଭିତରେ ରଥଯାତ୍ରା ନେଇ କ’ଣ ନୀତିକାନ୍ତି କରାଯିବ ସେନେଇ ଆଲୋଚନା କରାଯିବ । ଶଙ୍କରାଚାର୍ଯ୍ୟ ପରାମର୍ଶ ଅନୁଯାୟୀ ପରବର୍ତ୍ତୀ ନୀତିକାନ୍ତି ସ୍ଥିର ହେବ। ଏଥିସହିତ ପରିଚାଳନା କମିଟିରେ କୋର୍ଟଙ୍କ ରାୟକୁ ନେଇ ଆଲୋଚନା କରାଯିବ ।
ସୂଚନାଯୋଗ୍ୟ, ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ ନାହିଁ । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । କରୋନା ସଙ୍କଟ ବେଳେ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଛି । ଜନସ୍ୱାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।