ପରଲୋକରେ ଗାଗାରିନ ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଜନ୍ମିତ ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କର ବୁଧବାର ପରଲୋକ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ କୁହାଯାଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗାଗାରିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ‘ଫୁଲଚନ୍ଦନ’, ‘ନଈ ସେପାରୀ କନକ ଗୋରୀ’ ଭଳି ବହୁ ଓ ସୁପରହିଟ ଫିଲ୍ମରେ କାମ କରି ନିଜ ଛାପ ଛାଡ଼ିଯାଇଛନ୍ତି। ୨୦୧୨ ମସିହାରେ ଚଳଚ୍ଚିତ୍ର ‘ନଇ ସେପାରୀ କନକ ଗୋରୀ’ ପାଇଁ ତାଙ୍କୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଗାଗାରିନ ବହୁ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଥିଲେ। ‘ବେତାବ’, ‘ଚାନ୍ଦନୀ’, ‘ତେଜାବ’, ‘ରାମ ଅବତାର’, ‘ୱଜୁଦ’, ‘ପ୍ୟାର୍ କି ଜିତ୍’ ଭଳି ବହୁ ହିନ୍ଦୀ ଫିଲ୍ମରେ ସେ କାମ କରିଥିଲେ। ଗତ ଅଗଷ୍ଟ ମାସରେ ଗାଗାରିନ୍ଙ୍କ ସାନ ଭାଇ ତଥା ଜଣାଶୁଣା ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିଲା।