ଚୀନରେ ଦେଖାଦେଲାଣି ନୂଆ ଭୂତାଣୁ ଜି-୪

ନୂଆଦିଲ୍ଲୀ,ଏଜେନ୍ସି: ସାରାବିଶ୍ୱ ଏବେ ମହାମାରୀ କରୋନା ଭାଇରସ ବିରୋଧରେ ସଂଗ୍ରାମ କରୁଥିଲାବେଳେ ଚୀନର ଗବେଷକମାନେ ସ୍ୱାଇନ ଫ୍ଲୁ ଭଳି ଏକ ନୂଆ ଧରଣର ଭୂତାଣୁ ଚିହ୍ନଟ କରିଛନ୍ତି। ଏହି ଭୂତାଣୁ ବିଶ୍ୱ ମହାମାରୀ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଚୀନ ଗବେଷକଙ୍କ ଏହି ତଥ୍ୟ ଆମେରିକା ବିଜ୍ଞାନ ଜର୍ଣ୍ଣାଲ ପିଏନଏଏସରେ ପ୍ରକାଶ ପାଇଛି। ଚିହ୍ନଟ ହୋଇଥିବା ଏହି ଭୂତାଣୁକୁ ଜି-୪ ଭାବରେ ନାମିତ କରାଯାଇଛି। ଏହି ଭୂତାଣୁ ସଂସ୍ପର୍ଶରେ ଆସିଲେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଛି। ପରୀକ୍ଷା କରି ଦେଖାଦେଇଛି ଜି-୪ ସାଙ୍ଘାତିକ ଭାବେ ସଂକ୍ରାମକ। ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିପାରେ ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି। ଏହା କରୋନା ଭାଇରସ୍ ମହାମାରୀ ଭଳି ମଣିଷରୁ ସଂକ୍ରମିତ ହେବା ସହ ବିସ୍ତାର ହୋଇପାରେ ବୋଲି ଗବେଷକମାନେ କହିଛନ୍ତି।