ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଗୁପ୍ତରେ ପ୍ରସ୍ତୁତ ଫୁଲୁରି ତେଲ

ପୁରୀ,ଏନ୍ଏନ୍ଏସ୍: ଦେବସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜ୍ୱରରେ ପୀଡ଼ିତ ଅଛନ୍ତି। ତେଣୁ ଅଣସର ଘରେ ଶ୍ରୀଜୀଉଙ୍କ ଗୁପ୍ତ ସେବା ଚାଲିଛି। ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ପଠାଯିବା ଫୁଲୁରି ତେଲ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେବ।

ଶ୍ରୀମନ୍ଦିରରେ ଅଣସର ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଗୁପ୍ତସେବା ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ଦିବ୍ୟସ୍ନାନ କରି ଜ୍ୱର ହୋଇଥାଏ। ତେଣୁ ଆଜି ପଂଚମୀରେ ଅଣସର ଘରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି କରାଯାଏ। ଏହି ସୁବାସିତ ଫୁଲୁରି ତେଲ ଘଣାପେଡ଼ା ରାଶିତେଲରେ ବେଣାଚେର, ମାଳତୀ ,କିଆ, କେତକ ,ବଉଳଫୁଲ , କୃଷ୍ଣଭୋଗ ଧାନ ପଡ଼ି ପ୍ରସ୍ତୁତ ହୋଇଥାଏ। ଏହି ତେଲ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଇବା ଦ୍ୱାରା ଜ୍ୱର ଭଲ ହୁଏ ବୋଲି ବିଶ୍ୱାସ ରହିଛି। ବଡ଼ ଓଡ଼ିଆ ମଠ ପକ୍ଷରୁ ଫୁଲୁରି ତେଲ ଶ୍ରୀମନ୍ଦିରକୁ ପଠାଯାଏ।