ଶୁଣିଲାନି ପ୍ରଶାସନ : ଗାଁ’ଲୋକ ନିର୍ମାଣ କଲେ କାଠପୋଲ

କ.ନୂଆଗାଁ/ଫୁଲବାଣୀ,ଏନ୍ଏନ୍ଏସ୍ : ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପକ୍କା ରାସ୍ତା ଓ ପୋଲ ର୍ନିମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ପ୍ରତ୍ୟେକ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକର ଲେତିଙ୍ଗିଆ ପଂଚାୟତ ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ର ଡ଼ପେପାଡ଼ା ଗ୍ରାମରେ ରାସ୍ତା ଟିକିଏ ନାହିଁ। ଗ୍ରାମବାସୀମାନେ ଦେଖି ନାହାନ୍ତି ସବୁ ଦିନିଆ ରାସ୍ତା । ବାରମ୍ବାର ସେମାନେ ଗ୍ରାମକୁ ରାସ୍ତା ସହିତ ଗ୍ରାମକୁ ଯିବା ରାସ୍ତାରେ ପଡ଼ୁଥିବା ଏକ ବଡ଼ନାଳ ଉପରେ ଏକ ପୋଲ ପାଇଁ ମଧ୍ୟ ଦାବି କରିଥିଲେ। କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଛି । ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇ ପାରିନାହିଁ। ଶେଷରେ ଲକଡ଼ାଉନ୍ ଯୋଗୁଁ ଗ୍ରାମର ସମେସ୍ତ ଏକତ୍ରିତ ହୋଇ ନିଜ ଉଦ୍ୟମରେ ଓ ନିଜ ଚେଷ୍ଟାରେ ନିର୍ମାଣ କରିଛନ୍ତି ଏକ କାଠ ପୋଲ।

ଗ୍ରାମର ପ୍ରାୟ ୩୦ ଆଦିବାସୀ ପରିବାର ବସବାସ କରିଥାନ୍ତି। ଏହି ଗ୍ରାମକୁ ବିଛିନ୍ନ କରି ରଖିଛି ଲାଜିଂରାମାହା ନାଳ। ଉକ୍ତ ନାଳରେ ବର୍ଷା ଦିନରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଗ୍ରୀଷ୍ମ ଦିନରେ ଏକ ବିଶାଳ ଗର୍ତ ସୃଷ୍ଟି ହୋଇଥାଏ। ଫଳରେ ଏଠାକାର ଶିଶୁ ଓ ଛାତ୍ରଛାତ୍ରୀମାନେ ଲେତିଙ୍ଗିଆ ଗ୍ରାମରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଶିକ୍ଷା ଅଧ୍ୟୟନ ପାଇଁ ଯିବା ଆସିବାରେ ଉକ୍ତ ନାଳ ପାର ହେବାକୁ ପଡ଼ୁଥିବା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଗ୍ରାମର ବୃଦ୍ଧ,ବୃଦ୍ଧା ସେମାନଙ୍କର ବାର୍ଦ୍ଧକ୍ୟଭତା ହେଉ କିମ୍ବା ରାସନକାର୍ଡ଼ରେ ଚାଉଳ ଓ ଅନ୍ୟ ସାମଗ୍ରୀ ଆଣିପାଇଁ ମଧ୍ୟଯିବା ବେଳେ ଉକ୍ତ ନାଳ ପାର ହୋଇ ବହୁ କଷ୍ଟରେ ଯାତାୟତ କରୁଥିଲେ ଓ କେହି ରୋଗୀ ପିଡ଼ିତ ହେଲେ ଖଟିଆ ଦ୍ୱାରା ନାଳ ପାର କରିବା ପରେ କ.ନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥାନ୍ତି ।

ବର୍ତମାନ ଗ୍ରାମର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଯେଉଁ କାଠ ପୋଲ ନିର୍ମାଣ କରାଯାଇଛି ସେଥିରେ ରୋଗୀକୁ ରାସ୍ତାପାର କରାଇବା ପାଇଁ ହେଉ କିମ୍ବା ଗ୍ରାମର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବାକ ବେସ୍ ସହାୟକ ହେବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଗ୍ରାମର ସଚେତନ ଯୁବକ ଉପେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ନିଲୁ ମଲିକ,ଜାନୁଙ୍ଗା ପ୍ରଧାନ ଓ ଅନ୍ୟମାନେ ଉକ୍ତ କାଠପୋଲ ନିର୍ମାଣ ପାଇଁ ଦିନରାତି ଏକ କରି ଆରମ୍ଭ କରିଛନ୍ତି । ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ନିକଟ ଜଙ୍ଗଲରୁ କାଠ ସଂଗ୍ରହ କରି ଉକ୍ତ ନାଳ ଉପରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତମାନ ତାହା ଶେଷ ଅବସ୍ଥାରେ ପହଂଚିଲାଣି। ଉକ୍ତ ଗ୍ରାମବାସୀଙ୍କ ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣରେ ସହାୟକ ହେବା ଆବଶ୍ୟକ ହୋଇ ପଡ଼ିଥିବା ବେଳେ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶସାନ ମଧ୍ୟ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।