ବନ୍ଧୁଙ୍କ ପତ୍ନୀର ମୃତ୍ୟୁ ଖବର ଶୁଣି ମେଡ଼ିକାଲ ପରିସରରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ବନ୍ଧୁଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ଶୁଣି ମେଡିକାଲ ପରିସରରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ। ଏହି ଖବରକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ତିର୍ତ୍ତୋଲ ଥାନା ବାଲିପାଟଣା ଗ୍ରାମର ଅକ୍ଷୟ ସାମଲଙ୍କ ପତ୍ନୀ କବିତା ସାମଲ(୩୪) କୌଣସି କାରଣକୁ ନେଇ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସେହି ସମୟରେ କବିତାଙ୍କୁ ସେଠାରୁ ତାଙ୍କ ସ୍ୱାମୀ ଅକ୍ଷୟ ଓ ତାଙ୍କ ସାଙ୍ଗ ଉକ୍ତ ଗ୍ରାମର ରବି ମଲ୍ଲିକଙ୍କ ପୁଅ ବୁଲୁ ମଲ୍ଲିକ ଉଦ୍ଧାର କରି ଚିକିତ୍ସା ପାଇଁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମେଡିକାଲ୍‌ରେ ଡାକ୍ତର କବିତାଙ୍କୁ ମୃତ ଘୋଷଣା କରିବା ପରେ ସ୍ୱାମୀ ଅକ୍ଷୟ ଭାଙ୍ଗି ପଡିଥିଲେ। ସେହି ସମୟରେ ବୁଲୁ ମଲ୍ଲିକ ସେଠାରୁ ଉଭାନ ହୋଇଯାଇଥିଲେ। ତେବେ ଘଟଣାର କିଛି ସମୟ ପରେ ମଣିଜଙ୍ଗା ମେଡିକାଲ ପରିସର ମଧ୍ୟରେ ଆଉଟଡୋରର ଅନତି ଦୂରରେ ଥିବା କୋଠାର ଛାତକୁ ଲାଗିଥିବା ବିଦ୍ୟୁତ୍ ଷ୍ଟ୍ରୀଟଲାଇଟ ରେଲିଂରେ ବୁଲୁ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ତିର୍ତ୍ତୋଲ ଥାନା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତିର୍ତ୍ତୋଲ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇଥିଲା ଘଟଣାଟି ଅପରାହ୍ଣରେ ଘଟିଥିବା ବେଳେ ଏବେବିମେଡିକାଲ୍‌ରେ ମୃତଦେହ ଦୁଇଟି ରହିଛି। ତେବେ ବାଲିପାଟଣା ଗ୍ରାମର ବୁଲୁ ମଲ୍ଲିକ ଜଣେ ସେଣ୍ଟ୍ରିଂ ମିସ୍ତ୍ରି ଭାବେ କାମକରୁଥିବାବେଳେ ଅକ୍ଷୟ ସାମଲ ରାଜମିସ୍ତ୍ରି ଭାବେ କାମ କରନ୍ତି।

ବୁଲୁ ଅଧିକାଂଶ ସମୟରେ ଅକ୍ଷୟଙ୍କ ଘରକୁ ଯା’ଆସ କରନ୍ତି। ଅକ୍ଷୟଙ୍କ ସ୍ତ୍ରୀ କବିତାଙ୍କ ମଧ୍ୟରେ ବୁଲୁଙ୍କର ଉତ୍ତମ ସମ୍ପର୍କ ଥିବା ବେଳେ ଏହାକୁ ନେଇ ଗାଁରେ କିଛି ଲୋକ ଟାହି ଟାପରା କରିଆସୁଥିଲେ। ତେବେ ଏହାକୁ ସହ୍ୟ ନ କରିପାରି କବିତା ଆତ୍ମହତ୍ୟା କରିଥିବା ତାର ସ୍ୱାମୀ ଅକ୍ଷୟ କହୁଥିବା ବେଳେ ପାରିବାରିକ କଳହକୁ ନେଇ କବିତା ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।