ପାକିସ୍ତାନ ଛାଡ଼ିବାକୁ ନିଜ ନାଗରିକଙ୍କୁ ଫ୍ରାନ୍ସର ନିର୍ଦ୍ଦେଶ

ପ୍ୟାରିସ,ଏଜେନ୍ସି: ବର୍ତ୍ତମାନ ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରୁଥିବାରୁ ଫ୍ରାନ୍ସ ସରକାର ନିଜ ଦେଶର ନାଗରିକଙ୍କୁ ଯଥାଶୀଘ୍ର ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଗୁରୁବାର ଏହି ପ୍ରସଙ୍ଗରେ ଇସଲାମାବାଦସ୍ଥିତ ଫରାସୀ ଦୂତାବାସ ପକ୍ଷରୁ ନୋଟିସ ଜାରି କରାଯାଇଛି। ଫ୍ରାନ୍ସର ଏକ ପତ୍ରିକାରେ ଇସଲାମ ଧର୍ମର ପ୍ରତିଷ୍ଠାତା ପ୍ରଫେଟ ମହମ୍ମଦଙ୍କର ଆପତ୍ତିଜନକ କାର୍ଟୁନ ପ୍ରକାଶିତ ହୋଇଥିବାବେଳେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଥିଲା। ତେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହାକୁ ଯଥାର୍ଥ ବୋଲି କହିବାପରେ ବର୍ତ୍ତମାନ ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହାୱା ଜୋରରେ ପ୍ରବାହିତ ହେଉଛି। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାପୂର୍ବରୁ ନିଜ ଲୋକଙ୍କୁ ପାକିସ୍ତାନରୁ ଡକାଇ ଆଣିବାକୁ ଫ୍ରାନ୍ସ ସରକାର ଉଚିତ ମନେ କରିଛନ୍ତି। ଏହି ଅଭିଯାନରେ ପାକିସ୍ତାନରେ ସକ୍ରିୟ ଥିବା ଏକାଧିକ ଆତଙ୍କବାଦୀ ସଂଗଠନ ସାମିଲ ହୋଇଥିବାରୁ ସ୍ଥିତି ଜଟିଳ ହୋଇପଡିଛି।