ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲକୁ ଜାତୀୟ ସ୍ମାରକୀ କରାଯିବାକୁ ଦାବୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ସ୍ୱାଧୀନତା ଆନ୍ଦୋଳନର ମୁକ ଶାଖୀ ତଥା ସ୍ୱାଧିନତା ସଂଗ୍ରାମୀଙ୍କ ବିରତ୍ୱର ଗାଥା ବହନ କରୁଥିବା ନବରଙ୍ଗପୁରର ପୁରୁଣା ଜେଲକୁ ଜାତୀୟ ସହିଦ ସ୍ମାରକୀ କରାଯିବାକୁ ଦାବୀ କରଯାଇଛି । କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଦଣ୍ଡାଦେଶ କାଟିଥିବା ବନ୍ଦୀ ଗୃହକୁ ଜାତୀୟ ସ୍ମୃତି ପ୍ରଦାନ ଦାବୀରେ ସହିଦ ସ୍ମୃତି ସଂସଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏନେଇ ନବରଙ୍ଗପୁର ରେଜିଷ୍ଟ୍ରି ଅଫିସ ନିକଟରେ ଥିବା ପୁରୁଣା ଜେଲ ନିକଟରୁ ସହିଦ ପରିବାରଙ୍କ ଦାୟାଦଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରରେ ସହର ପରିକ୍ରମା କରି ସ୍ଥାନୀୟ ଶାସ୍ତ୍ରୀ ଭବନରେ ମଶାଲ ସ୍ଥାପନ କରିଥିଲେ । ଜିଲ୍ଲାର ଅନେକ ସ୍ୱାଧିନତା ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରି ଏହି ଜେଲରେ ବହୁ ବର୍ଷ ଧରି କାରାବାସ ଭୋଗ କରିଥିଲେ । କାରାବାସ ସମୟରେ ବନ୍ଦୀଗୃହରେ ୮ଜଣ ସ୍ୱାଧିନତା ସଂଗ୍ରାମୀ ନିଜ ଜୀବନ ହାରି ଦେଇଥିବାବେଳେ ଅନେକ ଇଂରେଜଙ୍କ ଦ୍ୱାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସ୍ୱାଧୀନତା ସଂଗ୍ରାମୀ ଏହି କାରାବାସରେ ଦଣ୍ଡ ଭୋଗ କରି ସ୍ୱାଧୀନତା ସଂଗ୍ରାମରେ ନିଜ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଏହି ଜେଲ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିବାବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଲାଣି । ସେଥିପାଇଁ ସହିଦ ପରିବାରଙ୍କ ଦାୟାଦଙ୍କ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା । ଅନେକ ଦାବୀ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ପୁନରୁଦ୍ଧାର କରାଯାଇ ପାରିନାହିଁ । ସରକାର ଅନେକ ଜନହିତକର କାର୍ଯ୍ୟ କରି ମନ୍ଦିର, ରାସ୍ତା, ଗୃହ ନିର୍ମାଣ ଭଳି କାମ ପାଇଁ ଅର୍ଥ ବ୍ୟୟ ବରାଦ କରୁଥିବାବେଳେ ସ୍ୱାଧୀନତା ଆନ୍ଦୋଳନର ସ୍ମୃତି ସନ୍ତକର ସୁରକ୍ଷା ପାଇଁ କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିବା ସହିତ ଏହା ଶେଷ ଦାବୀ ନଚେତ ଏହାର ସୁରକ୍ଷା ପାଇଁ ଆନ୍ଦୋଳନର ଆଶ୍ରୟ ନିଆଯିବ ବୋଲି ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସଦନ ନାୟକ, ଆଇନଜୀବୀ ସୀରାଜ ଅହମ୍ମଦ ଓ ଦିଲ୍ଲୀପ ପ୍ରଧାନୀ ଅଂଶଗ୍ରହଣ କରିଥିଲେ ।