ଲଞ୍ଚ ହେଲା ଜିଓ’ର ମାଗଣା ଭିଡିଓ କନ୍‌ଫରେନ୍ସିଂ ଆପ୍ ‘ଜିଓ ମିଟ୍’

ମୁମ୍ବାଇ,୭ା୭/ଏଜେନ୍ସି: ଅଧୁନା ଭିଡିଓ କନ୍‌ଫରେନ୍ସିଂ କ୍ଷେତ୍ରରେ ଜୁମ୍ ଭଳି ବିଦେଶୀ ଆପର ଯଥେଷ୍ଟ ଚାହିଦା ରହିଥିବା ବେଳେ ଭାରତର ଅଗ୍ରଣୀ ମୋବାଇଲ ଫୋନ୍ ସେବା କମ୍ପାନୀ ରିଲାଏନ୍ସ ଜିଓ ଦ୍ୱାରା ଗ୍ରାହକମାନଙ୍କ ଲାଗି ଏକ ନୂତନ ଭିଡିଓ କନଫରେନ୍ସିଂ ଆପ୍ ‘ଜିଓ ମିଟ’ର ଶୁଭାରମ୍ଭ କରାଯାଇଛି। ଏହା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେଉଥିବା ବେଳେ ଗ୍ରାହକମାନେ ଗୁଗଲ ପ୍ଲେ କିମ୍ବା ଆପ୍ ଷ୍ଟୋରରୁ ଏହାକୁ ଡାଉନଲୋଡ୍ କରିପାରିବେ।

ଏହାଦ୍ୱାରା ଜୁମ୍, ଗୁଗଲ୍ ମିଟ୍, ମାଇକ୍ରୋସଫ୍ଟ ଟିମ୍ ଏବଂ ଭିଡିଓ କନଫରେନ୍ସିଂ ପାଇଁ ଉପଲବ୍ଧ ହେଉଥିବା ବିଭିନ୍ନ ବିଦେଶୀ ଆପ୍ଗୁଡିକ ସହ ଏହି ଘରୋଇ ଉତ୍ପାଦିତ ଆପ୍ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ବୋଲି କୁହାଯାଇଛି। ଜିଓ ମିଟ୍ ଆପ୍ ଦ୍ୱାରା ଡାଇରେକ୍ଟ କଲ୍ ବ୍ୟବସ୍ଥା ସହିତ ଏକାଥରକେ ୧୦୦ ଜଣ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କିମ୍ବା କଥାବାର୍ତ୍ତା ହୋଇପାରିବେ। ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ଏହି ଆପ୍ ଦ୍ୱାରା ଦିନକୁ ଅସୀମିତ ମିଟିଂ କରାଯାଇପାରିବ ବୋଲି କୁହାଯାଇଛି।