ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ତହସିଲ ଅନ୍ତର୍ଗତ ବଳିତାମୌଜା ଦେଇ ଯାଇଥିବା ୨୩ନଂ ଜାତୀୟ ରାଜପଥର ପ୍ରସସ୍ତିକରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଓ ସ୍ଥାନୀୟ ଭୂମି ଅଧିଗ୍ରହଣ ଦାଇତ୍ୱରେ ଥିବା ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଚାଞ୍ଚକତା କରିଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ବାରକୋଟ ବ୍ଲକ୍ ଅଞ୍ଚଳର ଜନସାଧାରଣ ରାଉରକେଲାସ୍ଥିତ ଜାତୀୟ ରାଜପଥ ପ୍ରାଧିକାରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ତା’ର ଏକ ନକଲ କେନ୍ଦ୍ର ଭୂ-ପୃଷ୍ଠ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଜାତୀୟ ରାଜପଥ ପ୍ରଧିକରଣର ଅଧ୍ୟକ୍ଷ ଓ ଜିଲ୍ଲା ସମ୍ବାଦିକ ସଂଘକୁ ପଠାଯାଇଛି। ତେବେ ଏହାର ସଠିକ୍ ତଦନ୍ତ କରି ସାଧାରଣ ଜନତାଙ୍କ ଟିକସ ଅର୍ଥକୁ ହରିଲୁଟ୍ ହେବାରୁ ରୋକିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଅଭିଯୋଗ ପତ୍ର ଅନୁସାରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୨୩ ନଂ ଜାତୀୟ ରାଜପଥ ପ୍ରଶସ୍ତି କରଣ ପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରୀୟାରେ କୌଣସି ଆବଶ୍ୟକତା ନଥାଇ ଜାତୀୟ ରାଜପଥ ପାଇଁ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରି ବଳିତା ମୌଜାର ପ୍ଲଟ୍ ନଂ-୪୮୨/୧୧୧୯ ଓ ୪୮୪/୧୨୫୪କୁ ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ କରି କୋଟି କୋଟି ଟଙ୍କାର କ୍ଷତି ପୂରଣ ଅର୍ଥ ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଏହି ଅନୈତିକ କାର୍ଯ୍ୟ ପାଇଁ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର ନେଣ ଦେଣ ହୋଇଥିବାରୁ ଏହି ଘଟଣାର ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏହି ଘଟଣାରେ ବାରକୋଟ ତହସିଲଦାର ରାଜୀବ ଲୋଚନ ବେହେରାଙ୍କ ମତାମତ ଲୋଡିବାରୁ ତାଙ୍କ ପାଖରେ ଏଭଳି କୌଣସି ଅଭିଯୋଗ ନଥିବା ଏବଂ ଏନ୍ଏଚ୍ଏଆଇର ବିଧି ବ୍ୟବସ୍ଥା ଅନୁଯାୟୀ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ପ୍ରକାଶ କରିଛନ୍ତି। ଯଦି କାହାର କୌଣସି ଅଭିଯୋଗ ଥାଏ ତେବେ ସେମାନେ କ୍ଲେମ୍ କରିପାରିବେ ବୋଲି କହିଛନ୍ତି।