ଓରିଏଣ୍ଟାଲ କ୍ୟାମ୍ପରୁ ଲୁହାଛଡ ଚୋରି କରି ୪ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ପୁରୁଣାଗଡ଼ ଠାରେ ନିର୍ମାଣାଧିନ ୪୯ନଂ ଜାତୀୟ ରାଜପଥ ବାଇପାସ ଫ୍ଲାଇଓଭରରେ ଓଭରବ୍ରିଜ ନିର୍ମାଣ ପାଇଁ ଥୁଆ ହୋଇଥିବା ଲୁହା ଛଡ଼ ଚୋରି କରି ୪ ଜଣ ଗିରଫ ହୋଇଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ ଓରିଏଣ୍ଟାଲ କଷ୍ଟ୍ରକ୍ସନ କମ୍ପାନୀ ପକ୍ଷରୁ ୪୯ନଂ ଜାତୀୟ ରାଜପଥରେ ବାଇପାସ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ପାଇଁ ସେଠାରେ ରଖାଯାଇଥିବା ଲୁହା ଛଡ଼ ଗଦାରୁ ଗତକାଲି ରାତ୍ରିରେ ଚୋରି ହୋଇଥିଲା। ଏ ନେଇ କମ୍ପାନୀ ପକ୍ଷରୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ସବଇନ୍ସପେକ୍ଟର ଧିରେନ୍ଦ୍ର କୁମାର ସ୍ୱାଇଁ ଘଟଣାର ତଦନ୍ତ କରିଥିଲେ। ଏହି ସମୟରେ ପୁରୁଣା ପେଟ୍ରୋଲ ପମ୍ପ ସାହି ଅଞ୍ଚଳର ମୁନା ହସ୍ତୀ, ନରେଶ ହସ୍ତୀ, ପୁଲିନ ସୁନା ଓ ସମ୍ରାଟ ଭାସ୍କର ଛଡ଼ ଚୋରି କରିଥିବା ଜାଣିବାକୁ ପାଇଥିଲେ। ପରେ ପୁଲିସ ସେମାନଙ୍କ ଠାରୁ ସାଢ଼େ ୩ କ୍ୱିଣ୍ଟାଲ ଲୁହା ଛଡ଼ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଜଣାପଡ଼ିଛି।