ବେଆଇନ ରନ୍ଧା ମଦ କରବାରରେ ୪ ଗିରଫ, ସାମଗ୍ରୀ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବେଆଇନ ରନ୍ଧା ମଦ ପ୍ରସ୍ତୁତି ପାଇଁ ଥିବା ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ବ୍ୟାପକ ସାମଗ୍ରୀ ଜବତ କରାଯାଇଛି। ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ, କଦମଦର୍ହ ଓ ପୁରୁଣାଗଡ଼ ଅଞ୍ଚଳରେ ବେଆଇନ ମଦ କରବାର ହେଉଥିବା ସୂଚନା ପାଇ ଆଜି ଅବକାରୀ ବିଭାଗ ପକ୍ଷରୁ ଇନ୍ସପେକ୍ଟର ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ଆରକେ ଭୋଇ, ପିକେ ସାହୁ, ଦିଲ୍ଲୀପ କୁମାର ଶତପଥୀ ଓ ପଦ୍ମା ମୁଣ୍ଡା ପ୍ରମୁଖ ସଦଳ ବଳେ ଉପରୋକ୍ତ ଅଞ୍ଚଳରେ ବ୍ୟାପକ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ପ୍ରାୟ ୬ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯିବା ସହ ଦେଶୀ ରନ୍ଧା ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ସେହିପରି ବେଆଇନ ମଦ କରବାର ଅଭିଯୋଗରେ କାଲକାଠ ଗ୍ରାମର ଭୁବନ କିସାନ, ଗୌଡ଼ନାଳୀ ଗ୍ରାମର ସୁଜାତା ପ୍ରଧାନ ଓ କଦମଦର୍ହ ଗ୍ରାମର ଲିପୁନ ନାହାକ ଓ ସାନୁ ପେଣ୍ଠେଇକୁ ଗିରଫ କରାଯାଇଛି। ସେହିପରି ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।