ଜଳେଶ୍ୱର,ଏନ୍ଏନ୍ଏସ୍: ଜଳେଶ୍ୱରରୁ ପୁଣି ଧଳା ଜହର ଜବତ ହୋଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୪୦ ଲକ୍ଷ ହେବ ବୋଲି ଜଣାପଡିଛି। ବ୍ରାଉନ ସୁଗାର ବେପାରୀ ୩ ଭାଇଙ୍କ ସହ ୪ ଜଣ ଅଟକ। ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇଆଇସି କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ରାତି ୮ଟା ବେଳେ ଜଳେଶ୍ବର ପୌରପରିଷଦ ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ବସ୍ତି ଅଞ୍ଚଳରେ ଥିବା ସେକ୍ ଶନିଆଙ୍କ ଘର ଉପରେ ଚଢ଼ଉ କରିଥିଲେ। ଘର ଭିତରୁ ପାଖାପାଖି ୨ ଶହ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହିତ ସେକ୍ ସନିଆର ୩ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଜଳେଶ୍ବର ପୁଲିସ। ସେମାନେ ହେଲେ ସେକ୍ ସନିଆର ପୁଅ ସେକ୍ ବେଲାଲ, ସେକ୍ ନିୟାଜ ଓ ସେକ୍ ମନ୍ନି।
ଜଳେଶ୍ୱର ଅବକାରୀ ବିଭାଗ ଗୁରୁବାର ଝାଡ଼େଶ୍ୱରପୁର ବସ୍ତି ଅଞ୍ଚଳ ମୁଖ୍ୟ ରାସ୍ତା ଉପରେ ପାଟ୍ରୋଲିଂ କରୁଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ଅନୀଲ କୁମାର ମହାନ୍ତି ନାମକ ଏକ ଯୁବକ ସନ୍ଦେହଜନକ ଭାବେ ଯାଉଥିବା ବେଳେ ଅବକାରୀ ବିଭାଗ ତାକୁ ଅଟକାଇ ଥିଲା। ତା ନିକଟରୁ ୨୪୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ଯୁବକକୁ ଗିରଫ କରିଛି ଅବକାରୀ ବିଭାଗ। ଥାନା ଓ ଅବକାରୀ ବିଭାଗ ଦ୍ଵାରା ଜବତ ବ୍ରାଉନସୁଗାରର ବଜାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଜଳେଶ୍ୱର ସହର ବ୍ରାଉନ ସୁଗାରର ହବ୍ ପାଲଟିଥିବାରୁ ପୋଲିସ ଓ ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି। ପୋଲିସ ଓ ଅବକାରୀ ବିଭାଗ ଏମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।