ଶିବ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ଝାରସୁଗୁଡ଼ା: ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଏକ ଭବ୍ୟ ଶିବ ମନ୍ଦିର ଏବଂ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ହେବ। ଏଥିପାଇଁ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ ସେଠାରେ ବୃକ୍ଷରୋପଣ କରି ମନ୍ଦିର ପରିସରକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ଆହ୍ୱାନ ଦେଇଛନ୍ତି। ହରିଓଁ ବିହାରବାସୀଙ୍କ ପ୍ରଚେଷ୍ଟାରେ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ଏବଂ କଲ୍ୟାଣ ମଣ୍ଡପ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ସାଂସଦ ଓ ବିଧାୟକ କହିଛନ୍ତି । ତେବେ ଶିବ ମନ୍ଦିର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଶେଷ ହେବା ପରେ ଏଠାରେ ଏକ ଲାଇବ୍ରରୀ, ସ୍ପୋର୍ଟ କମ୍ପେ୍ଲକ୍ସ ନିର୍ମାଣ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ହରିଓଁ ବିହାରବାସୀ ପ୍ରକାଶ କରିଛନ୍ତି। ଶିଳାନ୍ୟାସ କାର୍ଯ୍ୟକ୍ରମରେ ସନ୍ତୋଷ ମିଶ୍ର, ଜୟନ୍ତ ଦିକ୍ଷିତ, ନନ୍ଦ କିଶୋର ଅଗ୍ରୱାଲ, ଶଶାଙ୍କ ଦିକ୍ଷିତ ପ୍ରମୁଖଙ୍କ ସହ ହରିଓଁ ବିହାରବାସୀ ଉପସ୍ଥିତ ଥିଲେ।