ରାଜଧାନୀରେ ହୋଟେଲ ଆଗରୁ ଫଚ୍ୟୁନର ଲୁଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନ ଦ୍ୱିପ୍ରହରରେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏକ ଫୁର୍ଚ୍ୟୁନର ଲୁଟ ହୋଇଛି। ଏକ ମଣ୍ଡପ ଆଗରେ ଗାଡ଼ି ରଖି ମାଲିକ ହୋଟେଲରେ ଖାଉଥିବା ବେଳେ କେହି ତାଙ୍କ ଚୋରି କରି ନେଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

ତେବେ ଏହି ଗାଡ଼ି ଚୋରି ପରେ ରାଜଧାନୀ ଭୁବନେଶ୍ୱରରେ ଆଉ ଏକ କାର ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଅଞ୍ଚଳର ମଳୟ ପାତ୍ର କୌଣସି କାମରେ ଭୁବେନଶ୍ୱର ଆସିଥିଲେ। କାମ ସାରି ସେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ଡିଷ୍ଟ୍ରିକ ସେଣ୍ଟର ପାଖରେ ଥିବା ଲଗ୍ନ ମଣ୍ଡପ ନିକଟରେ ଗାଡି (ଫଚ୍ୟୁନର-ଓଡି୦୨-ଏଜେ-୯୧୮୦) ରଖିଥିଲେ।

ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ହୋଟେଲରୁ ଫେରିବା ବେଳକୁ ଗାଡ଼ି ଚୋରି ହୋଇଯାଇଥିଲା। ଚାବି ତାଙ୍କ ପାଖରେ ଥିବା ବେଳେ ଗାଡ଼ି କିଏ ଓ କେମିତି ନେଲା, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପରେ ହୋଟେଲର ସିସିଟିଭି ଯାଞ୍ଚ କରିବାରୁ କେହି ୨.୫୫ ମିନିଟରେ ଗାଡ଼ିଟି ନେଇ ଯାଉଥିବା ଜଣାପଡ଼ିଥିଲା। ତେବେ ଏହା ଲୁଟେରାଙ୍କ କାମ ବୋଲି ସନ୍ଦେହ କରି ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଉକ୍ତ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଥାଉକି, କିଛିଦିନ ତଳେ ରାଜଧାନୀରୁ ଘନଘନ ୪ଚକିଆ ଗାଡ଼ି ଚୋରି ହୋଇଥିଲା। ଏପରିକି ଅପରାଧୀମାନେ ଗାଡ଼ି ଚାଳକଙ୍କୁ ଅପହରଣ କରି କାର ଲୁଟି ନେଉଥିଲେ। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ପୁଲିସ ତନାଘନା କରି ଦୁଇଟି ଗ୍ୟାଙ୍ଗକୁ ଠାବ କରିଥିଲା। ସେମାନଙ୍କ ଠାରୁ ୭ରୁ ଅଧିକ ଗାଡ଼ି ଜବତ କରିଥିଲା। ଏହାପରେ ଗାଡ଼ିଚୋରି କମି ଯାଇଥିଲା। ତେବେ ଆଜିର ଘଟଣା ପରେ ରାଜଧାନୀରେ ପୁଣି କାର ଲୁଟେରା ସକ୍ରିୟ ହୋଇଉଠିଥିବା ସନ୍ଦେହ କରାଯାଉଛି।