ପୂର୍ବତନ ରଣଜୀ ଖେଳାଳି ୱାସିମ ଜାଫର ହେଲେ ଓସିଏ ସିନିୟର କ୍ରିକେଟ ଦଳର କୋଚ

କଟକ,ଏନ୍ଏନ୍ଏସ୍: ପୂର୍ବତନ ରଣଜୀ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଥିବା ନେଇ ଓସିଏ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବତନ ଭାରତୀୟ ଓପନର ରଣଜୀ ଟ୍ରଫିରେ ୱାସିମ ସର୍ବାଧିକ ରନ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ ଦୁଇଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏହା ସହିତ ୨୬୦ଟି ପ୍ରଥମ ଶ୍ରେଣୀ ଓ ୧୧୮ଟି ଲିଷ୍ଟ ଏ ମ୍ୟାଚ ଖେଳିବାର ଦକ୍ଷତା ରହିଛି।

ୱାସିମ ଭାରତ ପାଇଁ ୩୧ ଟେଷ୍ଟରୁ ୧୯୪୪ ରନ ସହିତ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ଏହା ମଧ୍ୟରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ରହିଛି। ପ୍ରଥମ ଶ୍ରେଣୀରେ ୧୯,୪୧୦ ରନ୍ କରିଥିବା ଜାଫର ନିଜ କ୍ୟାରିୟରରେ ୧୦ ଥର ରଣଜୀ ଟ୍ରଫି ହାସଲ କରିଛନ୍ତି।

ମୁମ୍ବାଇ ପକ୍ଷରୁ ୮ ଥର ରଣଜୀ ଟ୍ରଫି ଜିତିଥିବା ଜାଫର ନିଜ କ୍ୟାରିୟରର ଅନ୍ତିମ ଦୁଇ ସିଜିନରେ ବିଦର୍ଭକୁ ଚାମ୍ପିଅନ୍ କରାଇଥିଲେ। ଓଡିଶାର କୋଚ ଦାୟିତ୍ୱ ସମ୍ଭାଳିବାକୁ ଯାଉଥିବା ଜାଫର ଏହା ପୂର୍ବରୁ ବାଂଲାଦେଶ ଟିମର ବ୍ୟାଟିଂ କୋଚ୍ ଏବଂ କିଙ୍ଗସ ଇଲେଭେନ ପଞ୍ଜାବର କୋଚ ଦାୟିତ୍ୱ ସମ୍ଭାଳିଛନ୍ତି। ନିକଟରେ ଦୁଇ ବର୍ଷ ପାଇଁ ଉତ୍ତରାଖଣ୍ଡ ରଣଜୀ ଦଳର ମଧ୍ୟ ସେ କୋଚ ରହିଥିଲେ।