ପାଟଣାଗଡ଼,ଏନ୍ଏନ୍ଏସ୍: ସୁଲେକେଲା ଗାଁର ପକ୍ଷୀରାଜ ଦଳେଇ ସ୍ଥାନୀୟ ଦାଦନ ସର୍ଦାର ମୁଗଦାମ ବୁଡେକ ଠାରୁ ୭୦ ହଜାର ଟଙ୍କା ଗ୍ରହଣ କରି ସେମାନଙ୍କ ପରିବାର ହାଇଦ୍ରାବାଦକୁ ଇଟା କାମ କରିବାକୁ ଯାଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ପକ୍ଷୀରାଜଙ୍କ ସ୍ତ୍ରୀ ସ୍ନେହସିଲା ଦଳେଇର ଦେହ ଅସୁସ୍ତ ହେବାରୁ ସ୍ନେହସିଲାକୁ ହାଇଦ୍ରାବାଦର ମାଲିକ ଭଲ ଭାବେ ଚିକିତ୍ସା କରି ନଥିବାରୁ ତାର ମୃତ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ। ଏହାକୁ ନେଇ ସୁଲେକେଲା ଗାଁର ଲୋକ ପାଟଣାଗଡ଼ ଉପଜିଲ୍ଲାପାଳ ଅଫିସରେ ମୃତ ସ୍ନେହସିଲାର ଶବ ରଖି କ୍ଷତିପୂରଣ ଦାବି ନେଇ ଧାରଣାରେ ବସିଥିଲେ।
ଖବରପାଇ ଉପଜିଲ୍ଲାପାଳ ଡକ୍ଟର ବିଜୟା ନନ୍ଦ ସେଠୀ ତୁରନ୍ତ ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ଓ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କୁ ଧାରଣାସ୍ଥଲକୁ ସମାଧାନ ପାଇଁ ପଠାଇଥିଲେ। ପରେ ପ୍ରଶାସନ ତରଫରୁ ରେଡ଼କ୍ରସ୍ ତରଫରୁ ୧୦ ହଜାର ଟଙ୍କା ଓ ଏନ୍ଏଫ୍ବିଏସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଅନ୍ୟପଟେ ବଲାଙ୍ଗିର ପୂର୍ବତନ ସାଂସଦ କାଲିକେଶ ନାରାୟଣ ସିଂଦେଓ ଖବରପାଇବା ପରେ ମୃତକ ସ୍ନେହସିଲା ଦଳେଇ ପରିବାରଙ୍କୁ ନଗଦ ୫ ହଜାର ଟଙ୍କା ସହ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ପୂର୍ବତନ ସାଂସଦଙ୍କ ଏଭଳି ମହତ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି।