ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତୀ ମୁଟିକାଙ୍କ ବିୟୋଗ

ରାମନାଗୁଡା,ଏନ୍ଏନ୍ଏସ୍: ଗୁଣୁପୁରର ପୂର୍ବତନ ବିଧାୟକ ତଥା ରାମନାଗୁଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମମୂର୍ତ୍ତୀ ମୁଟିକାଙ୍କ ପରଲୋକ ହୋଇଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୨୦୦୯ ମସିହାରେ ବିଜେଡିରୁ ବିଧାୟକ ହୋଇଥିବାବେଳେ ୨ଥର ରାମନାଗୁଡା ବ୍ଲକ ଅଧ୍ୟକ୍ଷ ପଦବୀରେ ରହିଥିଲେ। ସେ ଜଣେ ପରୋପକାରୀ ବ୍ୟକ୍ତିତ୍ବ ଥିଲେ। ଆଜି ପୂର୍ବାହ୍ଣ ୧୧ଘଣ୍ଟା ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଗୋଗୁପାଡୁ ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ସ୍ଥାନୀୟ ନେତା ଗଗନ ଆଚାର୍ଯ୍ୟ, ବିଜୟ ଗମାଙ୍ଗ, ଦାମୋଦର କୈବର୍ତ୍ତ ପ୍ରମୁଖ ଶେଷଦର୍ଶନ କରିଥିଲେ।

ବିଧାୟକ ଶ୍ରୀ ମୁଟିକା ୨୦୦୯-୧୪ କାର୍ଯ୍ୟକାଳ ସମୟରେ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ କରିଥିବାରୁ ଆଜି ମଧ୍ୟ ଲୋକ ତାଙ୍କୁ ଭୁଲିପାରିନାହାନ୍ତି। ସେ ୧୯୮୦ରୁ ୧୯୮୪ ମସିହାରେ ରାମାନାଗୁଡା ବ୍ଲକ ଅଧ୍ୟକ୍ଷ ପଦବୀରେ ରହିଥିବା ବେଳେ ୨୦୦୭ରୁ ୨୦୦୯ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷ ପଦବୀରେ ରହିଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ବହୁଲୋକ ସମାଗମ ହେବା ସହ ପୁଅ ମୁଖାଗ୍ନି ଦେଇଥିଲେ।