ବନ୍ୟପ୍ରାଣୀ ତସ୍କରୀ ମାମଲାରେ ପୂର୍ବତନ ଜେଏମଏମ ବିଧାୟକ ପାର୍ଥୀ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଆଜି ପୁଣି ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ଏନେଇ ଦେବଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟଙ୍କ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ତସ୍କରୀ କରୁଥିବା ସୂଚନା ପାଇ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା । ଯୋଜନା ମୁତାବକ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ତସ୍କର ଦିଲ୍ଲୀପ ନାୟକଙ୍କଠାରେ ପହଂଚିଥିଲା । ଏହି ସମୟରେ ଜୀବନ୍ତ ବଜ୍ରକାପ୍ତାକୁ ଦିଲ୍ଲୀପ ୧୫ଲକ୍ଷ ଟଙ୍କାରେ ବିକ୍ରି କରୁଥିବାବେଳେ ପୁଲିସ ଟିମ ତାକୁ କାବୁ କରିଥିଲା । ଏହାସହ ତା’ ନିକଟରୁ ପ୍ରାୟ ୭ କେଜିରୁ ଉର୍‌ଦ୍ଧ୍ୱ ଓଜନର ଏକ ବଜ୍ରକାପ୍ତା ଜବତ କରି ଗିରଫ କରିଥିଲା । ତେବେ ଦିଲ୍ଲୀପ ଗତ ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଜେଏମଏମ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ । ଏବେ ଦିଲ୍ଲୀପ ବର୍ତ୍ତମାନ ବିଜେପି ଦଳର ସକ୍ରିୟ ସଦସ୍ୟ ଏବଂ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଖାସ ଲୋକ ବୋଲି ଆଲୋଚନା ବେଳେ ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟ୍ଟା ଓ ଏସଆଇ ରାଜେଶ କୁମାର ବଳିୟାରସିଂ ଉପସ୍ଥିତ ଥିଲେ ।