ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହେବା ଲାଗି ଆବେଦନ କରିଛନ୍ତି। ଦ୍ରାବିଡ଼ଙ୍କ ପୂର୍ବରୁ ଏନସିଏରେ ବୋଲିଂ କୋଚ୍ ଥିବା ପାରସ ମାମ୍ବ୍ରେ ଓ ଫିଲ୍ଡିଂ କୋଚ୍ ଅଭୟ ଶର୍ମା ଆବେଦନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାହୁଲ ଦ୍ରାବିଡ଼ ପୂର୍ବରୁ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଚାହୁଁ ନଥିଲେ। କିନ୍ତୁ ବିସିସିଆଇର ଅନେକ ପ୍ରୟାସ ପରେ ସେ କୋଚ୍ ହେବା ଲାଗି ରାଜି ହୋଇଛନ୍ତି। ନିକଟରେ ଆଇପିଏଲ୍ ଫାଇନାଲ ରାତିରେ ଦ୍ରାବିଡ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିବ ଜୟ ଶାହଙ୍କୁ ଭେଟିଥିଲେ। ଏହି ବୈଠକରେ ସେ କ’ଣ ପାଇଁ କୋଚ୍ ହେବାକୁ ଚାହୁଁନାହାନ୍ତି ତାହା ମଧ୍ୟ ପ୍ରକାଶ କରିଥିଲେ। ଦ୍ରାବିଡ ଏବେ ଭାରତୀୟ ଜୁନିୟର ଟିମର କୋଚ୍ ଏବଂ ରାଷ୍ଟ୍ରୀୟ କ୍ରିକେଟ ଆକାଡେମୀର ମୁଖ୍ୟ ଅଛନ୍ତି।