ନୂଆଦିଲ୍ଲୀ, ଏଜେନ୍ସି: ଭାରତର ପୂର୍ବତନ ଶଟଫୁଟ୍ ଆଥଲେଟ ଇକବାଲ ସିଂହ ତାଙ୍କ ପତ୍ନୀ ଓ ମାଆଙ୍କୁ ହତ୍ୟା କରିଛନ୍ତି। ଏନେଇ ସେ ନିଜେ ପୁଲିସକୁ ସୂଚନା ଦେବାପରେ ଆମେରିକା ପୁଲିସ ତାଙ୍କୁ ଗିରଫ କରିଛି। ପ୍ରକାଶ ଯେ, ପୁଲିସ ଖବର ପାଇ ଇକବାଲଙ୍କ ଘରେ ପହଞ୍ଚିବା ବେଳକୁ ସେ ରକ୍ତାକ୍ତ ଅବସ୍ଥାରେ ଥିଲେ। ସେ ତାଙ୍କ ପତ୍ନୀ ଓ ମାଆଙ୍କୁ ହତ୍ୟା କରିସାରିବା ପରେ ନିଜକୁ ମଧ୍ୟ ଏକ ଧାରୁଆ ଅସ୍ତ୍ରରେ କ୍ଷତାକ୍ତ କରିସାରିଥିଲେ। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରକାଶେ ଯେ, ଇକବାଲ ୧୯୮୩ ମସିହାରେ କୁଏତରେ ଆୟୋଜିତ ଚାମ୍ପିୟନସିପରେ ଭାରତ ତରଫରୁ ଭାଗନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହାପରେ ସେ ଆମେରିକା ଚାଲିଯାଇଥିଲେ। ତେବେ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇନାହିଁ।