ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ରବିବାର ପରଲୋକ ହୋଇଯାଇଛି। ୯୦ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ବାସଭବନରେ ତାଙ୍କର ପରଲୋକ ହୋଇଛି।
ରାଜ୍ୟର ଜଣେ ବରିଷ୍ଠ କଂଗ୍ରେସ ନେତା ଭାଗବତ ପ୍ରସାଦ ମହାନ୍ତି କେନ୍ଦ୍ରାପଡ଼ାର ବିଧାୟକ ଭାବେ ସେ ତିନି ଥର ନିର୍ବାଚିତ ହୋଇଥିଲେ। ଏଥିସହ ସେ ପ୍ରଥମେ ୧୯୮୯ ମସିହାରେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଥିଲେ। ପରେ ୧୯୯୫ରୁ ୨୦୦୦ ମସିହା ପର୍ୟ୍ୟନ୍ତ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ଉଚ୍ଚଶିକ୍ଷା, ଅର୍ଥ ଓ ସାଧାରଣ ଅଭିଯୋଗ ଆଦି ବିଭାଗର ମନ୍ତ୍ରୀ ଥିଲେ।

ଏଥିସହ ସେ କେନ୍ଦ୍ରାପଡ଼ା ଅର୍ବାନ୍‌ କୋଅପରେଟିଭ୍‌ ବ୍ୟାଙ୍କ୍‌ର ସଭାପତି ଥିଲେ। ସେ ତାଙ୍କ ଛାତ୍ର ଜୀବନରେ ଚାଷୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ‘କିଷାନ ସତ୍ୟାଗ୍ରହ ଆନ୍ଦୋଳନ’ରେ ଯୋଗ ଦେଇଥିଲେ।  ସେ କେନ୍ଦ୍ରାପଡ଼ା ମୁନିସିପାଲିଟିର କାଉନ୍‌ସିଲର ଓ ରାଜ୍ୟ ଆଇନ ସଂଶୋଧନ କମିଟିର ସଦସ୍ୟ ମଧ୍ୟ ଥିଲେ। ୧୯୬୯ ମସିହାରେ ସେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇଥିଲେ।

ଏପରିକି ସେ ଫ୍ରାନ୍ସ, ଇଂଲଣ୍ଡ, ଆମେରିକା ଓ ୱେଷ୍ଟଇଣ୍ଡିଜ ଭ୍ରମଣ କରିଥିଲେ। ଏଭଳି ଏକ ବିଶିଷ୍ଟ ବ୍ୟକ୍ତିବିଶେଷର ମୃତ୍ୟୁରେ କେନ୍ଦ୍ରାପଡ଼ା ରାଜନୈତିକ ଇତିହାସର ଗୋଟାଏ ଦୀର୍ଘ ଯୁଗର ଅବସାନ ଘଟିଛି। ଏ ନେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି।